ଅନେକ ସମୟରେ ବିଭିନ୍ନ ସାଇବର କ୍ରାଇମ୍ର ଉଦାହରଣ ଦେଖିବାକୁ ମିଳୁଛି, ଯେଉଁଥିରେ ଏଆଇ ମୁଖ୍ୟ ଭୂମିକାରେ ରହୁଛି । ଏଆଇକୁ ବ୍ୟବହାର କରି ଅନେକ କ୍ରାଇମ୍ ଯେପରି ଡିପ୍ଫେକ, ଫିସିଂ, ହ୍ୟାକିଂ, ଡିଜିଟାଲ ଆରେଷ୍ଟ, ଭଏସ୍ କ୍ଲୋନିଂ, କାର୍ଡ ସ୍ୱାଇପିଂ ଭଳି ଅପରାଧକୁ ରୂପ ଦିଆଯାଉଛି । ଡିପ୍ଫେକ୍ ଭିଡିଓ ପାଇଁ ଏଆଇକୁ ବହୁଳଭାବେ ବ୍ୟବହାର କରାଯାଉଛି । ଏଆଇକୁ ବ୍ୟବହାର କରି ଅନ୍ୟମାନଙ୍କର ବିଶେଷଭାବେ ସେଲିବ୍ରିଟିଙ୍କର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଛଡା ଯାଉଛି । ଯାହା ସେମାନଙ୍କର ଛବି ଉପରେ ନକରାତ୍ମକ ପ୍ରଭାବ ପକାଉଛି । ସେମାନେ ଏଥିପାଇଁ ଅନେକ ମାନସିକ ଅବସାଦରେ ରହୁଥିବାର ଦେଖିବାକୁ ମିଳୁଛି । କେବଳ ସେଲିବ୍ରିଟି ନୁହେଁ ଅନେକ ସମୟରେ ଡିପ୍ଫେକ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ମଧ୍ୟ ହଇରାଣି କରାଯାଉଛି । ଅନେକ ଲୋକଙ୍କୁ ଅପରାଧୀମାନେ ବ୍ଲାକମେଲ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଅନେକ ସମୟରେ ଇମେଲ୍ ହ୍ୟାକ୍ କରି ମଧ୍ୟ ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଇ ଥାଆନ୍ତି । ଇମେଲ ହ୍ୟାକ୍ କରିବା ଫଳରେ ବିଭିନ୍ନ ତଥ୍ୟ ଲିକ୍ ହେବାର ଡର ରହିଥାଏ । ଯେଉଁ ବ୍ୟକ୍ତିଗତ ତଥ୍ୟକୁ ବ୍ୟବହାର କରି ଅପରାଧୀ ବିଭିନ୍ନ ଲୋକଙ୍କୁ ସମସ୍ୟାରେ ପକାଇଥାଆନ୍ତି । ଏଆଇକୁ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟରୁ ଠକେଇ କରି ଅର୍ଥ ନେବାର ଉଦାହରଣ ଢେର ଅଧିକା ବଢି ଯାଇଛି । ପ୍ରତିଦିନ ଏଭଳି ଘଟଣା ସାମନାକୁ ଆସୁଛି ଯେଉଁଠାରେ ଲୋକଙ୍କୁ ପାଖକୁ ଏକ ଲିଙ୍କ ଆସୁଛି, ଯେଉଁଥିରେ କ୍ଲିକ୍ କରିବା କ୍ଷଣି ସେମାନଙ୍କର ଆକାଉଣ୍ଟ ଖାଲି ହୋଇ ଯାଉଛି । ଏହି ଲିଙ୍କ ଗୁଡିକୁ ସାଇବର ଅପରାଧୀମାନେ ଖୁବ ଚତୁରତାର ସହିତ ପ୍ରସ୍ତୁତ କରୁଛନ୍ତି ଯେପରି ଗୋଟିଏ କ୍ଲିକ୍ରେ ଆକାଉଣ୍ଟ ଖାଲି କରିପାରିବେ । ଆଉ ଏକ ଅପରାଧ ଯାହା ବର୍ତ୍ତମାନ ଅଧିକ ଦେଖିବାକୁ ମିଳୁଛି, ଭଏସ୍ କ୍ଲୋନିଂ । ଭଏସ୍ କ୍ଲୋନିଂ ସାହାଯ୍ୟରେ ବିଶେଷଭାବେ ବୁଢାବୁଢିଙ୍କୁ ଲୁଟ କରାଯାଉଛି । ଏଥିରେ ସେମାନେ ବୟସ୍କ ଲୋକଙ୍କର କେହି ସମ୍ପର୍କୀୟଙ୍କ ଟୋନ୍ରେ ସମସ୍ୟାରେ ଥିବା କହି ଅର୍ଥ ଦାବି କରି ଥାଆନ୍ତି । ସେମାନେ ଜାଣି ନପାରି ଅର୍ଥ ଦେଇଥାଆନ୍ତି । ହେଲେ ସମ୍ପର୍କୀୟଙ୍କ ଟୋନ୍ରେ ଅପରାଧୀମାନେ ଏହି ମିଛ ଫୋନ୍ କରିଥାଆନ୍ତି, ଯାହାକୁ ଭଏସ୍ କ୍ଲୋନିଂ କୁହାଯାଇଥାଏ । ତେବେ ଏଆଇ ବ୍ୟବହାରକୁ ନେଇ ଆମକୁ ସତର୍କ ହେବାର ଆବଶ୍ୟକତା ରହିଛି । ତେବେ ଯାଇ ଆମେ ଏହାର ଲାଭ ଉଠାଇ ପାରିବା । ସବୁବେଳେ ଏହାକୁ ନିଜର ବୁଦ୍ଧି ଲଗାଇ ଭଲ କାମ ପାଇଁ ବ୍ୟବହାର କରିବା ଦରକାର ।