ଗୋଟିଏ ଦେଶ ଗଢିବାରେ ଶ୍ରମିକଙ୍କର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏମାନେ ଯେପରି ଦେଶ ଗଠନର ମୁକସାଖୀ ହୋଇଥାଆନ୍ତି । ତେବେ ଶ୍ରମିକମାନଙ୍କୁ ମଧ୍ୟ ନିଜର ହକ ପାଇଁ ଅନେକ ସମୟରେ ଲଢେଇ କରିବାକୁ ପଡିଛି । ଏ ସମସ୍ତ ଲଢେଇର ସ୍ମୃତିଭାବେ ପ୍ରତିବର୍ଷ ମେ’୧କୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ ।
ସାରା ବିଶ୍ୱରେ ମେ’୧କୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ବର୍ତ୍ତମାନ ଏହାକୁ ଏକ ଛୁଟି ଦିନଭାବେ ପାଳନ କରାଯାଉଛି, ହେଲେ ଏହା ପଛରେ ଲୁଚି ରହିଛି ଅନେକ ଶ୍ରମିକଙ୍କ ସଂଘର୍ଷ । ଶ୍ରମିକଙ୍କ ହକ୍ ପାଇଁ ଏହି ସଙ୍ଘର୍ଷ ଲଢାଯାଇଥିବା ସୂଚନା ରହିଛି । ତେବେ ଏହାକୁ ବିଭିନ୍ନ ଦେଶରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । ଏହି ଦିବସର ଇତିହାସ ବିଷୟରେ ଜାଣିବାକୁ ହେଲେ ଆମକୁ ୧୮୮୬ ମସିହା ବିଷୟରେ ଜାଣିବାକ ହେବ ଯେବେଠାରୁ ଏହା ଆରମ୍ଭ ହୋଇଛି । ୧୮୮୬ ମସିହାରେ ଚିକାଗୋରେ ଶ୍ରମିକ ବିପ୍ଲବର ମୂଳଦୁଆ ପଡିଥିଲା ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଶ୍ରମିକମାନେ ନିଜ କାର୍ଯ୍ୟ ସମୟ ୮ଘଣ୍ଟା କରିବା ପାଇଁ ଦାବି କରିବା ଆରମ୍ଭ କରିଥିଲେ । ୧୮୮୬ ମସିହା ମାର୍ଚ୍ଚ ୪ରେ ହୈମାଟକେଟ୍ ହତ୍ୟାକାଣ୍ଡ ଘଟିଥିଲା, ଯେଉଁଥିରେ ଶାନ୍ତପୂର୍ଣ୍ଣ ଭାବେ ରାଲି କରୁଥିବା ଶ୍ରମିକଙ୍କୁ ପୋଲିସର ହିଂସାର ଶିକାର ହେବାକୁ ପଡିଥିଲା । ଏଥିରେ ଶତାଧିକ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାପରେ ସାରା ବିଶ୍ୱରେ ଶ୍ରମିକ ଆନ୍ଦୋଳନ ବଢିବାରେ ଲାଗିଥିଲା । ଏହି ଘଟଣାର ଶ୍ରମିକ ଦିବସ ପଛରେ ଗୁରୁତର ଭୂମିକା ରହିଛି । ଯଦି ଭାରତ କଥା ଦେଖିବା ତେବେ ୧୯୨୩ ମସିହାରେ ପ୍ରଥମଥର ପାଇଁ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଏହା ପ୍ରଥମଥର ପାଇଁ ଚେନ୍ନାଇରେ ଆୟୋଜନ କରାଯାଇଥିଲା । ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନର ନେତା କମରେଡ୍ ଶିଙ୍ଗ୍ରଭେଲୁ ଚେତିଅର ଏହି ଦିବସ ପାଳନ ପଛରେ ନାୟକ ଥିଲେ । ସେହିଭଳି ତାଙ୍କ ପରାମର୍ଶରେ ଏହି ଦିନକୁ ଛୁଟିଦିନ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ଏହି ସମୟରେ ଭାରତରେ ଶ୍ରମିକଙ୍କ ହାଲତ ଖୁବ ଖରାପଥିଲା । ଟେକ୍ସଷ୍ଟାଇଲ,ଖଣି, ଫ୍ୟାକଫ୍ରି ଓ ରେଳ ବିଭାଗରେ ବିଶେଷଭାବେ ଶ୍ରମିକଙ୍କୁ ଖୁବ ଅଧିକ ସମୟ ଖଟିବାକୁ ପଡୁଥିଲା । ତେଣୁ ଏହି ଆନ୍ଦୋଳନରେ ଭାରତୀୟ ମଧ୍ୟ ସାମିଲ ହୋଇଥିଲେ । ତେବେ ୧୯୪୭ ମସିହା ପରେ ସ୍ୱାଧୀନ ଭାରତରେ ଅନେକ ଶ୍ରମିକ ଆଇନ୍ ଅଣାଯାଇଥିଲା । ଶିଳ୍ପ ବିବାଦ ଆଇନ୍ ୧୯୪୭, ଟ୍ରେଡ୍ୟୁନିଅନ୍ ଆଇନ୍ ୧୯୨୬, ସର୍ବନିମ୍ନ ମଜୁରୀ ଆଇନ୍ ୧୯୪୮, ୧୯୪୮ ମସିହା କାରଖାନା ଆଇନ୍ ଭଳି ଆଇନ୍ ଆସିବା ପରେ ଶ୍ରମିକଙ୍କ ସ୍ଥିତି ସୁଧୁରିବାରେ ଲାଗିଲା । ଏହି ସମସ୍ତ ଆଇନ ଅଧିନରେ ସେମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଗଲା । କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଶ୍ରମିକମାନଙ୍କ ପାଇଁ ଲଢେଇ ଜାରି ରହିଥିଲା । ଅଷ୍ଟ୍ରେଲିଆ, କାନାଡା, ବାଙ୍ଗଲାଦେଶ,ଚୀନ, ଜମାଇକା, ଜାପାନ, କେନିଆ ଭଳି ବିଭିନ୍ନ ଦେଶରେ ଶ୍ରମିକଙ୍କ ଅଧିକାର ପାଇଁ ଏହି ଲଢେଇ ଚାଲିଥିଲା ଏବଂ ସଫଳତା ମିଳିଥିଲା । ଏହି ଦେଶଗୁଡିକରେ ମେ’୧କୁ ଶ୍ରମିକ ଦିବସ ରୂପେ ପାଳନ ସହିତ ଛୁଟିଭାବେ ମଧ୍ୟ ପାଳନ କରାଯାଇଥାଏ ।