ସଚ୍ଚିଦାନନ୍ଦ ରଉତରାୟ ବା ଲୋକଙ୍କର ସ୍ନେହର ସଚ୍ଚି ରାଉତରାୟ ଜଣେ ବିଶିଷ୍ଟ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ତାଙ୍କ ଛୋଟମୋର ଗାଁଟି କବିତାଟି ଲୋକଙ୍କ ଭିତରେ ଖୁବ ଅଧିକ ଆଦୃତ ହୋଇଥିଲା । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନାରେ ସମୟ ଦେଇଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ ଥିଲା । ତାଙ୍କୁ ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତନର ଶ୍ରେୟ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଥିଲେ । ତାଙ୍କର ରଚନା ପାଇଁ ସେ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ହୋଇଥିଲା । ଏହାସହିତ ତାଙ୍କୁ ୧୯୬୨ରେ ପଦ୍ମଶ୍ରୀ, ୧୯୬୩ରେ ସାହିତ୍ୟ ଏକାଡମୀ ଆଓ୍ୱାର୍ଡ, ୧୯୬୫ରେ ସୋଭିଏତଲାଣ୍ଡ ନେହେରୁ ଆଓ୍ୱାର୍ଡ ପ୍ରଦାନ କରାଯାଇଥିଲା । ମାଟିର ଦ୍ରୋଣ, କବିଗୁରୁ, ମାଟିର ମହାକବି, ସମୟର ସଭାକବି ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ଜଣାଶୁଣା । ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୩ରେ ଜନ୍ମଗ୍ରହଣ କରିଥିଲେ । ଚାଟଶାଳୀରେ ପଢ଼ିବା କାଳରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ବ୍ରିଟିଶ ସରକାର ବିରୋଧରେ ଲଢ଼ି ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ ଓ ତା’ପରେ ବଙ୍ଗପ୍ରଦେଶରେ ପିଲାବେଳ କାଟିଥିଲେ । ଏଗାର ବର୍ଷ ବୟସରୁ ସେ କବିତା ଲେଖା ଆରମ୍ଭ କରିଥିଲେ । ୧୯୩୮ରେ ତାଙ୍କର କାବ୍ୟ ବାଜି ରାଉତକୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା ନାମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ । ସ୍ୱାଧୀନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ । ଏହି ମହାନ କବିଙ୍କର ୨୧ ଅଗଷ୍ଟ ୨୦୦୪ରେ ଦେହାନ୍ତ ଘଟିଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶା ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା ।