ଭାଦ୍ରବ ମାସ ହେଉଛି ଓଷାବ୍ରତର ମାସ । ତେବେ ଏ ସମସ୍ତ ପର୍ବପର୍ବାଣୀ ମଧ୍ୟରେ ଜନ୍ମାଷ୍ଟମୀ ବ୍ରତ ସ୍ୱତନ୍ତ୍ର । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହେଉଥିବା ଏ ବ୍ରତ କେବଳ ଶ୍ରୀକୃଷ୍ଣଙ୍କର ଧରାବତରଣ ଲୀଳାକୁ ପ୍ରତିପାଦିତ କରେ ନାହିଁ ପରନ୍ତୁ ଏହି ପର୍ବର ପ୍ରଚ୍ଛଦପଟ୍ଟରେ ପୂରି ରହିଛି ପ୍ରମା ଓ ପ୍ରେମର ପରମ ପ୍ରାଚୁର୍ଯ୍ୟ । ଜନ୍ମାଷ୍ଟମୀ ପର୍ବରେ ପ୍ରାୟତଃ ସମସ୍ତ ମଠ ମନ୍ଦିର ମାଳମାଳ ମନ୍ତ୍ରପାଠ ସହିତ ବୈଷ୍ଣବାଚାର୍ଯ୍ୟଙ୍କର କୃଷ୍ଣଜନ୍ମ ସମ୍ବଳିତ ଲଳିତ ପଦାବଳୀରେ ବାଳକୃଷ୍ଣଙ୍କୁ ସ୍ୱାଗତ କରେ । ପୁରାଣ ପ୍ରମାଣକରନ୍ତି, ଅତ୍ୟାଚାରୀ କଂସର ପାପ ଭାରରେ ଯେତେବେଳେ ଅବନୀ କମ୍ପିବାକୁ ଲାଗିଲା । ସାଧୁ, ସନ୍ଥ, ବେଦଜ୍ଞ ତଥା ବ୍ରାହ୍ମଣମାନେ ଭୟରେ ତ୍ରାହି ତ୍ରାହି ଡ଼ାକିଲେ । ଏହାପରେ ବ୍ରହ୍ମାଦି ଦେବଗଣ ନାରାୟଣଙ୍କର ଶରଣାପନ୍ନ ହେଲେ । ଯାହାପରେ ଦେବତାଙ୍କୁ ଦେଇଥିବା ବଚନ ରକ୍ଷାକରି ପ୍ରଭୁ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀତିଥି, ରୋହିଣୀନକ୍ଷତ୍ର ବୃଷରାଶି, ବୁଧବାର ବର୍ଷଣମୁଖର ମଧ୍ୟରାତ୍ରିରେ କଂସର ବନ୍ଦୀଶାଳାରେ ଦେବକୀ ମାଆଙ୍କ ଗର୍ଭରୁ ଶିଶୁରୂପେ ଜନ୍ମ ନେଲେ । ଏ ସିନା ହେଲା ଜନ୍ମାଷ୍ଟମୀର ବୃତାନ୍ତ, ଏବେ ଆସନ୍ତୁ ବିଚାର କରିବା ଜନ୍ମାଷ୍ଟମୀ ପଛରେ ଥିବା ଶିକ୍ଷା ଆଉ ମହନୀୟ ମୂଲ୍ୟବୋଧକୁ । ପ୍ରଶ୍ନ ଆସେ ପ୍ରଭୁ ମଥୁରାରେ ଜନ୍ମହେଲେ ମଧ୍ୟ ଗୋକୁଳରେ କାହିଁକି ବଢ଼ିଲେ? ଏହାର ଉତର ବଡ ସରଳ ତଥା ମାର୍ମିକ । କପଟତାର କଦର୍ଥ କୂଟଚକ୍ରରେ କଳୁଷିତ ହୁଏ ମଥୁରା କଟକ ଯେଉଁଠାରେ ଅହଂସର୍ବସ୍ୱ ଅଭିମାନୀର ରାଜୁତି ଚାଲେ । ଯେଉଁଠାରେ ଅହଂକାର ସେଠାରେ ଦୁଷ୍ଟାତ୍ମା କଂସର ଘର । ତେଣୁ ଅହଂକାରୀର ଆଳୟରେ ନିରହଙ୍କାର ଠାକୁର ରହିବେ କିପରି? ଅନ୍ୟପଟେ ଗୋକୁଳ ହେଉଛି ପ୍ରେମ ଓ ସମର୍ପଣର ଗୋଲୋକ ଯେଉଁଠାରେ ଗୋପୀମାନଙ୍କର ଘର । ଗୋକୁଳ ଶବ୍ଦକୁ ବ୍ୟାଖ୍ୟାକଲେ ଜଣାଯାଏ ଯେ ଗୋ ଅର୍ଥ ଇନ୍ଦ୍ରିୟ । କୁଳ ଅର୍ଥ ସମୁହ । ଅର୍ଥାତ୍ ଯେତେବେଳେ ପ୍ରତିଟି ଇନ୍ଦ୍ରିୟ ପ୍ରେମ ଭକ୍ତିି ଜଳରେ ନିସ୍ନାତ ହୋଇ ପରମାତ୍ମାଙ୍କ ପାଇଁ ନିବେଦିତ ହୋଇଥାଏ ସେତେବେଳେ ପ୍ରଭୁ ଆପଣାଛାଏଁ ଆସି ସେ ସ୍ଥାନରେ ପହଂଚିଯାନ୍ତି । ପ୍ରଭୁଙ୍କର ଗୋକୁଳକୁ ଆଗମନ ହିଁ ଏହାର ସଜଳ ଉଦାହରଣ ।
କଂସକୁ ଦୈବବାଣୀ ହୋଇଥିଲା ଯେ ଦେବକୀର ଅଷ୍ଟମଗର୍ଭର ସନ୍ତାନ ଦ୍ୱାରା ସେ ନିହତ ହେବ । ତେଣୁ ଶତ୍ରୁକୁ ହତ୍ୟା କରିବା ଉଦ୍ଦେଶ୍ୟରେ କଂସ ଦେବକୀ ଓ ବସୁଦେବଙ୍କୁ କାରାରୁଦ୍ଧ କରିଥିଲା ମୃତ୍ୟୁକୁ ଟାଳିଦେବ ବୋଲି । ବଡ଼ ଆଶ୍ଚର୍ଯ୍ୟ ଲାଗେ ଏଇ କଥା । ଦାମ୍ଭିକ ମଣିଷ ସମସ୍ତଙ୍କ ଭାଗ୍ୟ ଡୋରିକୁ ନିଜେ ନିୟନ୍ତ୍ରଣ କରିବ ବୋଲି ଭାବେ, କିନ୍ତୁ ସେ ମୂଢ଼ ଜାଣି ପାରେନାହିଁ ତା ନିଜର ଭାଗ୍ୟଡୋରି କାଳର ହାତମୁଠାରେ ଥାଏ ବୋଲି! ମୃତ୍ୟୁକୁ ଟାଳିଦେବାର ବୃଥା ଆସ୍ପାଳନ ହିଁ କଂସର ସର୍ବନାଶ କଲା । ବରଂ ସେ ଯଦି ମୃତ୍ୟୁ ବିଷୟରେ ସଚେତନ ହୋଇ ପରମାତ୍ମାଙ୍କର ଚିନ୍ତନ କରିଥାନ୍ତା,ତେବେ ଏ ଦୁର୍ଦ୍ଦଶା କେବେ ତାର ହୋଇ ନଥାନ୍ତା । ଏ ହେଉଛି କଂସର ଜୀବନ ବୃତାନ୍ତରୁ ଆମକୁ ଶିକ୍ଷା । ଏବେ ଆସନ୍ତୁ ଆଉ ଏକ ଦିଗକୁ ଧ୍ୟାନ ଦେବା । ଦେବକୀ ଓ ବସୁଦେବଙ୍କର ଜୀବନ ଦର୍ଶନକୁ ଅନୁଶୀଳନ କଲେ ଜଣାଯାଏ ଯେ ନିଷ୍କାମ ବୁଦ୍ଧି ହେଉଛନ୍ତି ଦେବକୀ ଓ ବିଶୁଦ୍ଧ ଚିତ ହିଁ ବସୁଦେବ । ତେବେ ଷଟ୍ ଜୟନ୍ତୀ ଯଥା ଶିବରାତ୍ରି, ବାମନଜନ୍ମ, ନୃସିଂହଜନ୍ମ, ରାମନବମୀ, ଜନ୍ମାଷ୍ଟମୀ ଓ ଦୁର୍ଗାଷ୍ଟମୀ ମଧ୍ୟରୁ ଜନ୍ମାଷ୍ଟମୀ ବ୍ରତ ହେଉଛି ଅନ୍ୟତମ । ଏହି ବ୍ରତ ଦିନ ରାଧାକୃଷ୍ଣ ମନ୍ଦିରଗୁଡ଼ିକ ଭଜନ, କୀର୍ତ୍ତନ, ପାଲା, ପ୍ରବଚନରେ ଉତ୍ସବମୁଖର ହୋଇଉଠେ । ପ୍ରତ୍ୟେକ ଶ୍ରଦ୍ଧାଳୁ ଭକ୍ତିପୂର୍ଣ୍ଣ ଚିତରେ ଉପବାସ ରହି ଅପେକ୍ଷା କରିଥାନ୍ତି ସେ ଅଷ୍ଟମୀ ତିଥିର ମଧ୍ୟରାତ୍ରର ମହାର୍ଘ ମୁହୂର୍ତ୍ତକୁ ।
ଡକ୍ଟର ସାରଦା ପ୍ରସାଦ କର
ସଂପର୍କ: ୯୪୩୭୧୧୩୧୬୨