ପିଲାଦିନର ଏଭଳି ଅନେକ ଗପ ଅଛି ଯାହା ଆଜି ବି ଆମକୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ସେହି ଗପକୁ ଆଜି ବି ଆମେ ଆମ ପରବର୍ତ୍ତୀ ପିଢିକୁ ଶୁଣାଇଥାଉ । ସେହି ଗପର ତାଲିକା ଖୁବ ଲମ୍ବା, ସେଥିରୁ ଗୋଟିଏ ହେଲା କୁମ୍ଭୀର ମାଙ୍କଡ ଗପ ।
ପିଲାଦିନର ସ୍କୁଲ ଛୁଟି ଖୁବ ଆନନ୍ଦମୟ ହେଉଥିଲା । ସ୍କୁଲ ଛୁଟି ଆରମ୍ଭ ହେବା ମାତ୍ରେ ସମସ୍ତେ ନିଜନିଜ ଅଜା ଆଈ କିମ୍ବା ବାପା ମାଆଙ୍କ ପାଖେ ବସି ପଡୁଥିଲେ ଭଳିକି ଭଳି ଗପ ଶୁଣିବାକୁ । ଭୁତ, ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ନୀତିଶିଖା ଓ ମଜାଳିଆ ଗପର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଥିଲା । ଏହି ଗପର ସମସ୍ତେ ମଜା ଉଠାଉଥିଲେ, ଛୁଟି ଖୁବ ଆନନ୍ଦରେ କଟି ଯାଉଥିଲା । ତେବେ ଏହି ତାଲିକାରେ ରହିଥିବା ମାଙ୍କଡ କୁମ୍ଭୀର ଗପଟି ଖୁବ ମଜାଦାର ସହିତ ଶୀକ୍ଷଣିୟ ମଧ୍ୟ । କିଭଳି ଜୀବନରେ କେବେ ବି ଶତ୍ରୁ ଉପରେ ଭରସା କରିବ ନାହିଁ ଏବଂ ଉପସ୍ଥିତି ବୁଦ୍ଧି ସବୁବେଳେ ଆବଶ୍ୟକ ହୋଇଥାଏ ତାହା ଏଥିରେ ବୁଝାଯାଇଛି ।
ଏକଦା ଗୋଟିଏ ନଦୀରେ କୁମ୍ଭୀରଟିଏ ବାସ କରୁଥାଏ ଏବଂ ତାହାରି କୂଳରେ ଗୋଟିଏ ଜାମୁ କୋଳି ଗଛ ରହିଥାଏ । ସେହି କୋଳି ଗଛରେ ଗୋଟିଏ ମାଙ୍କଡ ରହିଥାଏ । ମାଙ୍କଡ ଓ କୁମ୍ଭୀର ଶତ୍ରୁ ବୋଲି ସାରା ଜଗତ ଜାଣିଛି, ହେଲେ ଏଠାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳେ । ଗଛରେ ଥିବା ମାଙ୍କଡଟି ଖୁବ ଶାନ୍ତ ସରଳ । ତାକୁ ଏକୁଟିଆ ଗଛରେ ରହିବାକୁ ଭଲ ଲାଗିନଥାଏ । ତେଣୁ ସେ ବେଳେବେଳେ ମାଙ୍କଡ ସହିତ କଥା ବାର୍ତ୍ତା ହୋଇଥାଏ । ଏହାସହ ସେ ମାଙ୍କଡକୁ ସବୁବେଳେ କୋଳି ମଧ୍ୟ ଖାଇବାକୁ ଦେଇଥାଏ । ତେବେ ଗୋଟିଏ ଥର ମାଙ୍କଡ ଦେଇଥିବା କୋଳିକୁ ନେଇ କୁମ୍ଭୀର ନିଜ ଘରକୁ ଗଲା । ସେଠାରେ ତାର ସ୍ତ୍ରୀ ଏହି ଜାମୁ କୋଳି ଖାଇ ବେଶ୍ ଖୁସି ହୋଇଥିଲା । କୋଳିର ସ୍ବାଦ ତାକୁ ଖୁବ ପସନ୍ଦ ଆସିଥିଲା । ସେ ଜାଣିବାକୁ ପାଇଲା ମାଙ୍କଡ ସବୁଦିନ ଏହି କୋଳି ଖାଉଛି, ତେଣୁ ସେ ଭାବିଲା ତେବେ ମାଙ୍କଡର କଲିଜା କେଡେ ସୁଆଦ ହୋଇ ନଥିବା । ସେଥିଲାଗି ସେ ସ୍ବାମୀକୁ କହିଲା ମାଙ୍କଡକୁ ତାଙ୍କ ଘରକୁ ଆଣିବାକୁ, ଯାହା ପରେ ସେ ତାକୁ ମାରି ତାର କଲିଜା ଖାଇପାରିବ । ଏହାପରେ ମାଙ୍କଡକୁ କୁମ୍ଭୀର ତାର ଘରକୁ ଯିବାକୁ ନିମନ୍ତ୍ରଣ ଦେଲା, ନିମନ୍ତ୍ରଣ ରକ୍ଷା କରି ସରଳ ମାଙ୍କଡ କୁମ୍ଭୀର ପିଠିରେ ବସି ତାର ଘରକୁ ଯିବା ପାଇଁ ବାହାରି ମଧ୍ୟ ଗଲା । ହେଲେ ବାଟରେ କୁମ୍ଭୀର କହିଲା ମୋ ସ୍ତ୍ରୀ ତୁମ କଲିଜା ଖାଇବାକୁ ମନ କରିଛି ତେଣୁ ମୁଣ ତୁମକୁ ନେଉଛି, ତାହା କିପରି ଦେଖିବାକୁ । ଏକଥା ଶୁଣି ମାଙ୍କଡର ଅକଲ ଗୁଡୁମ, ହେଲେ ସେ ଜାଣି ପାରିଲା କୁମ୍ଭୀରକୁ କଲିଜା ସମ୍ପର୍କରେ କୌଣସି କଥା ଜଣାନାହିଁ । ତେଣୁ ସେ ଉପସ୍ଥିତ ବୁଦ୍ଧି ଲଗାଇ କହିଲା ତୁମେ ମୋତେ ଆଗରୁ ଏକଥା କହିଲନି ମୁଁ ସାଙ୍ଗରେ ଆଣିଥାଆନ୍ତି । କଲିଜା ତ ଗଛରେ ରହିଗଲା । ଏହାପରେ କୁମ୍ଭୀର ପୁଣି ମାଙ୍କଡକୁ ଧରି କୂଳକୁ ଫେରିଲା । କୂଳରେ ପହଞ୍ଚିବାପରେ ମାଙ୍କଡ଼ ଗଛ ଉପରକୁ ଡିଆଁ ମାରି ଚାଲିଗଲା । ଗଛରେ ବସିବା ପରେ ସେ କୁମ୍ଭୀରକୁ କହିଲା ତୋତେ ସାଙ୍ଗ ହିସାବରେ ବିଶ୍ବାସ କରିବା ମୋର ବଡ ଭୁଲ । ଶତ୍ରୁ ସବୁବେଳେ ଜୀବନସାରା ଶତ୍ରୁ ହିଁ ରହିବ ।