ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ବିଶିଷ୍ଟ ଲେଖିକା ଭାବେ ଖୁବ ପରିଚିତା ଥିଲେ ନନ୍ଦିନୀ ଶତପଥୀ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ନନ୍ଦିନୀ ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକ ସହରର ପିଠାପୁର ସାହିରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ ଆକର୍ଷିତ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହି ବିଶିଷ୍ଟ ଲେଖିକାଙ୍କର ୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ଚାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।