ଡ. ଧୀରେନ୍ଦ୍ର କୁମାର ଷଡ଼ଙ୍ଗୀଙ୍କ ଉପାଦେୟ ପୁସ୍ତକଗୁଡ଼ିକୁ ସରକାରୀ କିମ୍ବା ଅର୍ଦ୍ଧସରକାରୀ ସ୍ତରରେ ଏପର୍ଯ୍ୟନ୍ତ ସ୍ବୀକୃତି ମିଳିନାହିଁ, କିନ୍ତୁ ବେସରକାରୀ ସଂସ୍ଥାଙ୍କ ପୁରସ୍କାର ପାଇଁ ସେ ସାଧନାରତ
1 ଦୃଷ୍ଟିହୀନ ପିଲାଙ୍କ ପାଇଁ କିଛି କରିବାର ଇଚ୍ଛା କିଭଳି ଆସିଲା ?
ଉ ୧୯୯୬ ମସିହାରେ ରେଭେନ୍ସା କଲେଜରେ ଚାକିରି କରିବା ସମୟରେ ‘କଲେଜ ୟୁଥ୍ ରେଡକ୍ରସ’ ଦାୟିତ୍ବରେ ଥାଏ । କଲେଜର ପୂର୍ବ ଛାତ୍ରାବାସରେ ରହୁଥÒବା ଦୁଇ ତିନିଜଣ ଦୃଷ୍ଟିହୀନ ପିଲା ରକ୍ତଦାନ ପାଇଁ ଇଚ୍ଛା ପ୍ରକାଶ କରି ଶିବିରରେ ପହଞ୍ଚିଲେ ଦୁର୍ଯ୍ୟୋଧନ ନାମକ ପିଲାକୁ ତାର ପାଠପଢା ବିଷୟରେ ପଚାରିଲି । ବୁଝିଲି ସେ ଯୁକ୍ତ୩ ପ୍ରଥମ ବର୍ଷରେ ପଢୁଛି । ସେ ଦଶମରେ ୭୨%, +୨ରେ ୬୯% ରଖÒ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ପାଠ ପଢ଼ିବା ପାଇଁ ସେମାନେ ଟେପରେକର୍ଡ ଓ କ୍ୟାସେଟ ମାଧ୍ୟମରେ ବହିଗୁଡିକୁ ଜଣେ ଚକ୍ଷୁବାନ ପିଲା ମାଧ୍ୟମରେ ପଢାଇ ଏହାକୁ ରେକର୍ଡ କରି ଶୁଣି ପରୀକ୍ଷାରେ ଲେଖନ୍ତି ବୋଲି ଜାଣିଲି । ଯୁକ୍ତ ୨ ପାଠ ପାଇଁ ୧୦ରୁ ୧୨ଟି କ୍ୟାସେଟରେ ଚଳିଯାଉଥିଲା, କିନ୍ତୁ ଯୁକ୍ତ ୩ ପାଇଁ ଏବେ ଅଧିକ କ୍ୟାସେଟ ଲାଗୁଛି ଏ ବିଷୟରେ ଜାଣିବା ପରେ କଲେଜ ଅଧ୍ୟକ୍ଷ ଡ. ଗିରିଜା ଆଚାର୍ଯ୍ୟଙ୍କୁ ଅନୁରୋଧ କରି କଲେଜ ରେଡକ୍ରସ ତରଫରୁ ସବୁ ଯୁକ୍ତ ୨ ଓ ୩ ପିଲାଙ୍କ ପାଇଁ ଗୋଟିଏ ଗୋଟିଏ ଟେପରେକର୍ଡର ଓ ଯୁକ୍ତ ୨ଙ୍କ ପାଇଁ ୧୦ଟି, ଯୁକ୍ତ ୩ଙ୍କ ପାଇଁ ୧୦୦ଟି କ୍ୟାସେଟ ମାଗଣାରେ ଯୋଗାଇଦେଲି । ଏହି ଘଟଣାପରେ ସେମାନେ ପାଠପଢା ସମସ୍ୟା, ପରୀକ୍ଷା ସମୟରେ ଲେଖକ ଯୋଗାଡ କରିବା ସମସ୍ୟା ମୋ ନିକଟରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ।
2 ଲେଖିଥିବା ତିନୋଟି ପୁସ୍ତକର ପ୍ରେରଣା କିପରି ପାଇଲେ ?
ଉ ଦୃଷ୍ଟିିହୀନଙ୍କ ପାଇଁ ମୋର ପ୍ରଥମ ପୁସ୍ତକ ହେଉଛି, ‘ବ୍ରେଲ ବର୍ଣ୍ଣବୋଧ’ ।
ଏକ ଛୋଟ ଅନୁଭୂତି ଆଧାରରେ ଏହି ପୁସ୍ତକଟି ଲେଖିଥିଲି । କଲେଜର କିଛି ପୁଅ ଓ ଝିଅଙ୍କୁ ନେଇ କଟକ, ନୂଆପଡାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟକୁ ବୁଲି ଯାଇଥିଲୁ । ଉଦ୍ଦେଶ୍ୟଥିଲା ଆମ କଲେଜ ପିଲାଙ୍କୁ ଦୃଷ୍ଟିହୀନ ଛାତ୍ରଙ୍କ ପାଠପଢା ଓ ନିତିଦିନ ଜୀବନଚର୍ଯ୍ୟା ବିଷୟରେ ପ୍ରତ୍ୟେକ୍ଷ ଅନୁଭୂତି ଯୋଗାଇବା । ଭାବବିନିମୟ ସମୟରେ ଗୋଟିଏ ଦୃଷ୍ଟିହୀନ ଛୋଟ ପିଲା ଆମ ପିଲାମାନଙ୍କୁ ଆହ୍ବାନ କରିଲା ଯେ, ସେ ଅନ୍ଧାରରେ ବହି ପଢିପାରିବ ଏବଂ ଏହା କରି ଦେଖାଇଲା ମଧ୍ୟ । ଏହି ଘଟଣାଟି ଆମ ପିଲାଙ୍କୁ ଆଶ୍ଚର୍ଯ୍ୟ କରିଲା । ସେମାନେ ବ୍ରେଲ ଶିଖିବା ପାଇଁ ମୋ ନିକଟରେ ଆଗ୍ରହ ପ୍ରକାଶ କରିଲେ । ମୁଁ କଲେଜ ଅଧ୍ୟକ୍ଷଙ୍କୁ ଅନୁରୋଧ କରି କଲେଜରେ ଏକ ବ୍ରେଲ ଟ୍ରେନିଂ ସେଣ୍ଟର ଆରମ୍ଭ କରିଲି । ଯେଉଁଠାରେ କଲେଜର କିଛି ଦୃଷ୍ଟିହୀନ ପିଲା ନିଜର ଚକ୍ଷୁଷ୍ମାନ ପିଲାଙ୍କୁ ବ୍ରେଲ ଶିକ୍ଷା ଦେଲେ । ହେଲେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଲାନାହିଁ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରଥମେ ନୂଆପଡା ଦୃଷ୍ଟିହୀନ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ଠାରୁ ଓଡିଆ ବର୍ଣ୍ଣମାଳା, ଫଳା ବ୍ୟବହାର ପ୍ରଣାଳୀ ଓ ଯୁକ୍ତାକ୍ଷର ଲିଖନ ଉପାୟ ଶିଖିଲି । ଏହାପରେ ୧୯୯୮ରେ ରେଭେନ୍ସା ୟୁଥ ରେଡକ୍ରସ ସୌଜନ୍ୟରୁ ଏହାକୁ ପ୍ରକାଶ କରାଗଲା । ସେହିଭଳି ଦ୍ବତୀୟ ପୁସ୍ତକଟି ବିଜୟ କୁମାର ରଥ ନାମକ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପ୍ରେରଣାରେ ରଚନା କରିଥିଲି । ତୃତୀୟ ପୁସ୍ତକ ପଛରେ ମୋର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ଅନେକ ଦିନହେବ ଦୃଷ୍ଟିହୀନ ପିଲା ଓ ସେମାନଙ୍କ ଅଭିଭାବକଙ୍କ ସମ୍ପର୍କରେ ଆସିବା ପରେ ଏହି ପୁସ୍ତକ ରଚନା କରିଥିଲି । ତେଣୁ ଏହି ବହିଟିକୁ ଦୃଷ୍ଟିହୀନ ଶିଶୁଙ୍କ ମାଆମାନଙ୍କ ପାଇଁ ଉତ୍ସର୍ଗ କରିଛି ଏବଂ ବିନାମୂଲ୍ୟରେ ଡାକ ଯୋଗେ ସେମାନଙ୍କୁ ଯୋଗାଇ ମଧ୍ୟ ଦେଉଛି ।
3 କିଭଳି ଓ କେଉଁ ପରିସ୍ଥିତିରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ?
ଉ କୌଣସି ଏକ ଲକ୍ଷ୍ୟରଖି ଯୋଜନାବଦ୍ଧ ଭାବେ ଏହି ଯାତ୍ରାର ଆରମ୍ଭ ହୋଇନାହିଁ । ରେଭେନ୍ସା କଲେଜରେ ଚାକିରି ସମୟରେ ୟୁଥ ରେଡକ୍ରସ ପିଲାଙ୍କୁ ନେଇ କଟକର ନୂଆପଡା ସ୍ଥିତ ଦୃଷ୍ଟିହୀନ ବଦ୍ୟାଳୟ ପରିଦର୍ଶନ ସମୟଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଘଟଣାଟି ପୂର୍ବରୁ ବର୍ଣ୍ଣିତ ।
4 ପୁସ୍ତକଗୁଡିକ କାହା ପାଇଁ ଓ କାହିଁକି ଲେଖିଥିଲେ ?
ଉ ବ୍ରେଲ ବର୍ଣ୍ଣବୋଧ ପୁସ୍ତକଟି ୧୯୯୮ ମସିହାରେ ଚକ୍ଷୁଷ୍ମାନ କଲେଜ ପିଲାମାନଙ୍କ ପାଇଁ ଲେଖିଥିଲି । ଉଦ୍ଦେଶ୍ୟଥିଲା କଲେଜର ପିଲାମାନେ ବ୍ରେଲ ଶିଖି ଦୃଷ୍ଟିହୀନ ପିଲାଙ୍କ ପାଇଁ ଛୋଟଛୋଟ ଗଳ୍ପ, କବିତା, ହସକଥା ଆଦି ଲେଖିବେ । ଯାହା ସାହାଯ୍ୟରେ ଏକ ମାସିକ ବ୍ରେଲ ସାହିତ୍ୟ. ପ୍ରତିକା ପ୍ରକାଶ କରିବା । କିନ୍ତୁ ଦୁଃଖର ବିଷୟ ଦୃଷ୍ଟିହୀନ ପିଲାଙ୍କ ପାଇଁ ଏବେ ମଧ୍ୟ ଏଭଳି କୌଣସି ପତ୍ରିକା ଓଡି଼ଶାରେ ନାହଁ । ସ୍ବପ୍ନ ଅଧୁରା ରହିଗଲା ।
ବର୍ତ୍ତମାନ ଲେଖିଥିବା ପୁସ୍ତକ ଉଭୟ ସବୁବର୍ଗର ପାଠକ ଓ ଦୃଷ୍ଟିହୀନ ପିଲାଙ୍କ ଅଭିଭାବକଙ୍କ ପାଇଁ ଉଦିଷ୍ଟ ।
5 ପ୍ରାଣୀବିଜ୍ଞାନର ଅଧ୍ୟାପକ ହୋଇଥିବାବେଳେ ଏହି କାର୍ଯ୍ୟ କରିବା କେତେ ଆହ୍ବାନପୂର୍ଣ୍ଣ ଥିଲା ?
ଉ ତଥ୍ୟ ସଂଗ୍ରହ ମୋ ପାଇଁ ଏକ ଆହ୍ବାନ । କିନ୍ତୁ କୌଣସି ବିଷୟରେ ଓଡ଼ିଆ ବା ଇଂରେଜି ଭାଷାରେ ଲେଖିବା ମୋ ପାଇଁ ଆଦୌ ଏକ ଆହ୍ବାନ ପୂର୍ଣ୍ଣ ନଥିଲା । କାରଣ ମୁଁ ଜଣେ ପାଠ୍ୟପୁସ୍ତକ ଲେଖକ । ଓଡ଼ିଶାର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥା ମାଧ୍ୟମିକ, ଉଚ୍ଚମାଧ୍ୟମିକ ଓ ସ୍ନାତକଶ୍ରେଣୀ ପାଇଁ ମୋର ଅନେକ ବହି ରହିଛି । ଦୃଷ୍ଟିହୀନ ଶିକ୍ଷାର ଇତିହାସ ଓ ଦୃଷ୍ଟିହୀନ ଶିଶୁଙ୍କ ଲାଳନ ପାଳନ ସମ୍ବନ୍ଧରେ ତଥ୍ୟ କୌଣସି ପୁସ୍ତକ ଭାବରେ କୌଣସି ଭାଷାରେ ପ୍ରାୟ ଉପଲବ୍ଧ ନାହିଁ । ତେଣୁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ସେସବୁର ସମନ୍ବୟକରଣ ଓ ସ୍ପଷ୍ଟ ଉପସ୍ଥାପନା ଖୁବ ଅୟମାସାଧ୍ୟ ଏବଂ ଅନୁଭବ ସାପେକ୍ଷ ।
6 କିଛି ଅସମ୍ପୁର୍ଣ୍ଣ କାର୍ଯ୍ୟ ରହିଯାଇଛି କି ?
ଉ ହଁ, ଦୃଷ୍ଟିହୀନ ଶିକ୍ଷାର ଇତିହାସ ଓ ଦୃଷ୍ଟିହୀନ ଶିଶୁଙ୍କ ଲାଳନପାଳନ ଓ ବୌଦ୍ଧିକ ବିକାଶ ପରି ପୁସ୍ତକ ଗୁଡିକ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଏହି ପୁସ୍ତକଗୁଡିକୁ ମୁଁ ହିନ୍ଦି ଓ ଇଂରେଜି ଭାଷାକୁ ଅନୁବାଦ କରୁଛି । ଅନୁବାଦିତ ପୁସ୍ତକଗୁଡିକ ଏବେ ପ୍ରେସରେ ଛପାହେବା ଅବସ୍ଥାରେ ରହିଛି ।
7 ପରବର୍ତ୍ତୀ ଯୋଜନା କଣ ରହିଛି, ସେ ବିଷୟରେ କିଛି ସାମ୍ୟକ ସୂଚନା ଦିଅନ୍ତୁ ?
ଉ ସାଧାରଣ ଚକ୍ଷୁଷ୍ମାନ ଶିଶୁ ତାର ୮୦ ପ୍ରତିଶତରୁ ଅଧିକ ଶିକ୍ଷା ଦୃଷ୍ଟି ମାଧ୍ୟମରେ ଆହରଣ କରିଥାଏ । ସେହି ତଥ୍ୟ ଅନୁସାରେ ଜଣେ ଦୃଷ୍ଟିହୀନ ଶିଶୁ ଚକ୍ଷୁଦ୍ବାରା ଗ୍ରହଣ କରାଯାଉଥିବା ୮୦ ପ୍ରତିଶତ ଶିକ୍ଷାରୁ ସମ୍ପୁର୍ଣ୍ଣ ବଞ୍ଚିତ । କେବଳ ଚର୍ମ,କାନ, ନାକ ଓ ଜିହ୍ବା ମାଧ୍ୟମରେ ସଂଗୃହିତ ୨୦ ପ୍ରତିଶତ ଅନୁଭୂତିକୁ ଏକାଠି କରି ପରିବେଶ ବିଷୟରେ ନିଜ ମନଭିତରେ ଏକ ଧାରଣା ଅଥବା ପ୍ରତିଛବି ସୃଷ୍ଟି କରିବାପାଇଁ ଚେଷ୍ଟା କରିଥାଏ । ଯାହା ସତ୍ୟଠାରୁ ଅନେକ ଦୂର ହୋଇପାରେ । ତେଣୁ ସାଧାରଣ ବର୍ଗର ଶିଶୁଙ୍କ ପାଇଁ ରଚିତ ଗଳ୍ପଗୁଡିକ ଦୃଷ୍ଟିହୀନ ଶିଶୁଙ୍କ ପାଇଁ ବୋଧଗମ୍ୟ ନୁହେଁ । ଏହାକୁ ଦୃଷ୍ଟିରେ ରଖି କେବଳ ଦୃଷ୍ଟିହୀନ ଶିଶୁଙ୍କପାଇଁ କେତୋଟି ଗଳ୍ପ ଲେଖିବାପାଇଁ ବର୍ତ୍ତମାନ ଚେଷ୍ଟା ଜାରି ରଖିଛି ।
ପ୍ରସ୍ତୁତି: ଇପ୍ସିତା ମହାପାତ୍ର