ପୁରୀ : ସେବାୟତଙ୍କ ମନମାନୀ । ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ କଟକଣା ଥିବା ସତ୍ତ୍ବେ ଏହାକୁ ବେଖାତିର କରିଛନ୍ତି କିଛି ସେବାୟତ। ରଥ ଉପରକୁ ମୋବାଇଲ ନେଇ ମନ ଇଛା ରଥ ଉପରର ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ଼ କରିଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଗୁରୁତର ସହ ଗ୍ରହଣ କରି ସମ୍ପୃକ୍ତ ସେବାୟତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଂହଦ୍ୱାର ଥାନାକୁ ଚିଠି ଲେଖାଯାଇଛି । ଏଥିସହ ୭ଜଣ ସେବାୟତଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଚଳିତବର୍ଷ ରଥଯାତ୍ରା ସମୟରେ ରଥ ଉପରକୁ ମୋବାଇଲ ଫୋନ୍ ନେବା ଓ ବ୍ୟବହାର କରିବା ଉପରେ କଟକଣା ଲାଗୁ କରାଯାଇଥିଲା । ଏହାସ୍ୱତେ ବି କେତେଜଣ ସେବାୟତ କଟକଣା ମାନିନଥିଲେ । ଯାହାଫଳରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାକୁ ଚିଠି ଲେଖିଛି । ରଥରେ ମୋବାଇଲ ଫୋନ୍ ବ୍ୟବହାର କେବଳ ରୀତିନୀତିର ପବିତ୍ରତାକୁ ବିଗାଡ଼ି ଦେଉନାହିଁ, ବରଂ ଜୀବନ ଓ ସମ୍ପତିର ସୁରକ୍ଷା ନେଇ ବିପଦ ସୃଷ୍ଟି କରୁଛି ।
ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀ ଥାନାରେ ରିପୋର୍ଟ କରିଥିବା ବେଳେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରିଛନ୍ତି।

Comments are closed.