ନିଆରା ରଥଯାତ୍ରା

ରଥଯାତ୍ରା ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ବିଶ୍ୱରେ ସୃଷ୍ଟି କରିଥାଏ । ତେବେ କେବଳ ପୁରୀ ନୁହେଁ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ରଥଯାତ୍ରା ଖୁବ ଶ୍ରଦ୍ଧାର ସହିତ ପାଳନ ହୋଇଥାଏ । ଏଥିମଧ୍ୟରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ରଥଯାତ୍ରା ଖୁବ ସ୍ୱତନ୍ତ୍ର ।

ଶିଆଳି ଲଟାରେ ରଥ ଦଉଡି

ରଥଯାତ୍ରା ଦିନ ପୁରୀ ସହିତ ଓଡ଼ିଶାର ପ୍ରତିଟି ଗ୍ରାମରେ ରଥ ବୁଲିଥାଏ । ପ୍ରତି ଜିଲ୍ଲା ଓ ଗ୍ରାମରେ ଖୁବ ସ୍ୱତନ୍ତ୍ର ଓ ଶ୍ରଦ୍ଧାର ସହିତ ରଥଯାତ୍ରାକୁ ପାଳନ କରାଯାଇଥାଏ । ସେହିଭଳି ଏକ ସ୍ଥାନ ହେଲା କେନ୍ଦୁଝର, ଯେଉଁଠାରେ ପାଳନ ହୋଇଥାଏ ନିଆରା ଢଙ୍ଗରେ ରଥଯାତ୍ରା । ଏଠାରେ ରଥଯାତ୍ରାରେ ରଥ ଦଉଡି ଭାବେ ବ୍ୟବହାର ହୋଇଥାଏ ଶିଆଳି ଲଟା । ଏହି ଶିଆାଳି ଲଟାର ଦଉଡିକୁ ରଥଯାତ୍ରାର ଅନେକ ଦିନ ପୂର୍ବରୁ ପ୍ରସ୍ତୁତି କରାଯିବା ଆରମ୍ଭ କରାଯାଇଥାଏ । ପୂର୍ବରୁ ଏହି ଦଉଡିକୁ ଜୁଆଙ୍ଗ ଓ ଭୂଇଁଆ ସମ୍ପ୍ରଦାୟର ଲୋକମାନେ ପ୍ରସ୍ତୁତ କରିଥାଆନ୍ତି । କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସିଛି । ତେବେ କିଛି ବର୍ଷ ଭିତରେ ଏହି ପରମ୍ପରାରେ ପରିବର୍ତ୍ତନ ଘଟିଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ କେବଳ ଭୂଇଁଆ ସମ୍ପ୍ରଦାୟର ଲୋକ ଏହାକୁ ସ୍ଥାନୀୟ ମନ୍ଦିରକୁ ଯୋଗାଉଛନ୍ତି । ସେମାନେ ଏହି ଦଉଡିକୁ ଶିଆଳି ଗଛର ବକଳରୁ ପ୍ରସ୍ତୁତ କରିଥାଆନ୍ତି, ଯାହାକୁ ସେମାନେ ଜଙ୍ଗଲରୁ ସଂଗ୍ରହ କରିଥାଆନ୍ତି । କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକର ଦଅଁଳା ଗାଁର ଭୂଇଁଆ ସମ୍ପ୍ରଦାୟର ଲୋକମାନ ଏହି ଦଉଡି ଯୋଗାଇ ଥାଆନ୍ତି । କେନ୍ଦୁଝର ଜିଲ୍ଲାର ରଥଯାତ୍ରା ଆରମ୍ଭରୁ ଏହି ଦଉଡି ସେମାନେ ମନ୍ଦିରକୁ ଯୋଗାଇ ଆସୁଛନ୍ତି । ଅକ୍ଷୟତୃତିୟାରୁ ଏହି କାମ ଆରମ୍ଭ ହୋଇଥାଏ । ଏହି ଦିନ ଠାରୁ ସେମାନେ ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍କଳ ବା ଛାଲ ସଂଗ୍ରହ କରିବା କାମ ଆରମ୍ଭ କରିଥାଆନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞାମାଳ ପାଇବା ପରେ ଏହି ଦଉଡି ପ୍ରସ୍ତୁତି ଆରମ୍ଭ ହୋଇଥାଏ । ସେହିଭଳି ଯେଉଁ ଶିଆଳି ଗଛରେ କୌଣସି ଚଢେଇ ବସା କରିନଥିବେ, ଲତାଟି ଗଛ ଉପରୁ ତଳକୁ ଲମ୍ବିଥିବ କେବଳ ସେହି ଗଛରୁ ହିଁ ବକ୍କଳ ବାହାର କରାଯାଇ ଦଉଡି ପ୍ରସ୍ତୁତ କରାଯାଇଥାଏ । ଏହି ଦଉଡିର ଲମ୍ବ ୧୦୮ ହାତ ରହିଥିବାବେଳେ ମୋଟେଇ ୬ ଇଞ୍ଚ ରହିଥାଏ ।
ଅଞ୍ଜନ କୁମାର ରଣା

ଏକା ଜଗନ୍ନାଥ
ନବରଙ୍ଗପୁରର ଜଗନ୍ନାଥ ମନ୍ଦିର ଖୁବ୍‌ ପୁରୁଣା । କିନ୍ତୁ ତ୍ରିମୂର୍ତ୍ତି ନବ କଳେବର ଧାରଣ କରିଛନ୍ତି । ପୁରୁଣା ମନ୍ଦିର ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ନୂତନ ମନ୍ଦିର ବି ନିର୍ମିତ ହୋଇଛି । ଏହି ଜିଲ୍ଲାରେ ଅନେକ ଜଗନ୍ନାଥ ମନ୍ଦିର ରହିଛି । କିନ୍ତୁ ନବରଙ୍ଗପୁର ସହରରେ ଥିବା ମନ୍ଦିରଟି ସବୁଠାରୁ ପୁରୁଣା । ନୂତନ ମନ୍ଦିର ନିର୍ମାଣ ପାଇଁ ତିନି ଶତାବ୍ଦୀ ପୁରୁଣା ମନ୍ଦିରକୁ ଧୀରେ ଧୀରେ ଭାଙ୍ଗି ଦିଆଯାଇଥିଲା । ମନ୍ଦିରର କାଠ ଛାତ ଉପରେ ଜଟିଳ କାରୁକାର୍ଯ୍ୟ ରହିଛି । ଏହା ବିକ୍ରମ ଦେବ ପ୍ରଥମଙ୍କ ଶାସନ ସମୟରେ ୧୭୫୮ରୁ ୧୭୮୧ ମଧ୍ୟରେ ନିର୍ମିତ ହୋଇଥିଲା । ୮୦ ଦଶକର ଶେଷ ପର୍ଯ୍ୟନ୍ତ ଗର୍ଭଗୃହରେ ପ୍ରଭୁ ଜଗନ୍ନାଥଙ୍କ ଏକମାତ୍ର ମୂର୍ତ୍ତି ପୂଜା ପାଉଥିଲେ । କୁହାଯାଏ ଯେ ଭଗବାନ ବଳଭଦ୍ର ଏବଂ ଦେବୀ ଶୁଭଦ୍ରାଙ୍କ କାଠ ମୂର୍ତ୍ତିଗୁଡ଼ିକୁ ବସ୍ତରର ଜଣେ ଶାସକ ନେଇ ଜଗଦଲପୁରର ଏକ ମନ୍ଦିରରେ ରଖିଥିଲେ । ସେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୂର୍ତ୍ତିଟି ଚମତ୍କାର ଭାବରେ ହାତୀ ପଛରୁ ଖସିଗଲା ଏବଂ ପରଦିନ ସ୍ଥାନୀୟ ଲୋକମାନେ ମୂର୍ତ୍ତିଟିକୁ ଉଦ୍ଧାର କରିଥିଲେ । ୧୭୭୦ ପରଠାରୁ ୧୯୫୮ ଯାଏ ୨୧୬ ବର୍ଷ କାଳ ଗୋଟିକିଆ ପତିତପାବନ ମୂର୍ତ୍ତି ନବରଙ୍ଗପୁରର ରାଜଧାନୀରେ ଘୋଷଯାତ୍ରା କରି ଆସୁଥିଲେ । ବିଖ୍ୟାତ ଲେଖିକା କୁମାରୀ ବସନ୍ତୀ ରାଜୁ ତାଙ୍କ ନବରଙ୍ଗପୁର ଇତିହାସ ଓ ଜଗନ୍ନାଥ ମହିମା ଲେଖାରେ ୧୯୫୮ର ଦୋଳ ସଂଖ୍ୟାରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପରେ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ଅନୁଧ୍ୟାନ କରି ପୁଣି ନୂତନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଦାରୁ ବିଗ୍ରହ ଶ୍ରୀକ୍ଷେତ୍ରରେ ନିର୍ମାଣ କରାଇ ଆଣି ନବରଙ୍ଗପୁର ମନ୍ଦିରରେ ସାନି ସ୍ଥାପନ କରିଛନ୍ତି । ସୁତରାଂ ୧୯୮୭ରୁ ଆଜିଯାଏ ତିନି ବିଗ୍ରହଙ୍କ ଘୋଷ ଯାତ୍ରା ଚାଲିଛି । ଏଠିକାର ଘୋଷଯାତ୍ରା ଖୁବ ନିଆରା । ନବରଙ୍ଗପୁରର ଘୋଷଯାତ୍ରାକୁ ଆଖପାଖର ଆଦିବାସୀ ଅପେକ୍ଷା କରି ରହିଥାନ୍ତି । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଜନଜାତି ଲୋକେ ସମାଗମ ହୁଅନ୍ତି ।
କୀର୍ତ୍ତି ଚନ୍ଦ୍ର ସାହୁ

Comments are closed.