ପିଲାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ସେମାନଙ୍କୁ ଅନେକ ଶିକ୍ଷା ଦେବାକୁ ହୋଇଥାଏ । ତେବେ ପିଲାଙ୍କ ଭିତରେ ବିଭିନ୍ନ ଭଲ ଗୁଣକୁ ବିକଶିତ କରିବା ପାଇଁ ସେମାନଙ୍କୁ ବଗିଚାରେ କାମ କରିବା ଶିଖାଇବା ଏକ ଭଲ ଉପାୟ । ଏହା ଫଳରେ ସେମାନେ ଜୀବନର କିଛି ମୂଲ୍ୟବୋଧ ସମ୍ପର୍କରେ ଶିଖି ପାରିବେ । ଆସନ୍ତୁ ପଢିବା ସେହିଭଳି କିଛି କଥା ବିଷୟରେ ଯାହା ଜଣେ ଶିଶୁ ବଗିଚା କାମରୁ ଶିଖିପାରିବେ ।
ନିଜର ମୂଳକୁ ଭୁଲନ୍ତୁ ନାହିଁ
ବଗିଚା କାମ କରିବା ସମୟରେ ପିଲାକୁ ମାଟି ସହିତ କାର୍ଯ୍ୟ କରିବାକୁ ପଡିବ, ଯାହା ତାଙ୍କୁ ନିଜ ପିଲାଦିନ ସହିତ ଜଡିତ କରି ରଖିବ । ଏହା ଫଳରେ ତା ଭିତରେ ନମ୍ରତା ବଢିବ । ସେହିଭଳି ନିଜେ ଗୋଟିଏ ମଞ୍ଜି ବୁଣି ତାହାକୁ ଗଛ କରାଇବାରେ ଯେଉଁ କଷ୍ଟ ରହିଥାଏ ତାହା ତାଙ୍କୁ ସହନଶୀଳତା ଓ ପରିଶ୍ରମୀ କରିବ ।
ନିଜ ପସନ୍ଦର ଗଛ
ସବୁବେଳେ ପିଲାକୁ ନିଜ ପସନ୍ଦ ହିସାବରେ ଗଛ ଲଗାଇବାକୁ ଦିଅନ୍ତୁ । ଏହାକୁ କିଭଳି ସେ ଋତୁ ଓ ସ୍ଥାନ ଅନୁସାରେ ଚୟନ କରିବ ସେନେଇ ଧ୍ୟାନ ରଖନ୍ତୁ । ଏପରି କରିବା ଫଳରେ ତା ଭିତରେ ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି ପାଇବ । ସେ ନିଜ ଚାରିପାଖରେ ଘଟୁଥିବା ସମସ୍ତ ଘଟଣାବଳୀକୁ ଧ୍ୟାନରେ ରଖି କିଭଳି ସଠିକ୍ ନିଷ୍ପତ୍ତି ନେଇ ହେବ ସେନେଇ ସେ ଚେଷ୍ଟିତ ରହିବ ।
ସବୁବେଳେ କେୟାର ନେବାକୁ ହେବ
ଗଛ ଗୁଡିକର ସବୁଦିନ କିଭଳି କେୟାର ନିଆଯିବ ସେନେଇ ତାକୁ ଶିକ୍ଷା ଦିଅନ୍ତୁ । ଏହାର ଖୁବ ସକାରାତ୍ମକ ପ୍ରଭାବ ତା ଜୀବନ ଉପରେ ପଡିବ । ନିଜ ଜୀବନରେ ମଧ୍ୟ କିଭଳି ସମସ୍ତ ଘଟଣାର କେୟାର ନେବାକୁ ହେବ ସେ ନେଇ ସେ ଜାଣିବ । ଜୀବନରେ ସେ ନେଇଥିବା ସମସ୍ତ ନିଷ୍ପତ୍ତିର ସେ ନିଜେ କେୟାର ନେବା ଶିଖିବ । ତାର ଜୀବନରେ ଥିବା ସମସ୍ତ ସମ୍ପର୍କର ଧ୍ୟାନ ମଧ୍ୟ ସେ ନିଜେ ରଖିବା ଶିଖିବ ।
ଗଛର ଫଳ ଫୁଲ ପୁରସ୍କାର ହୋଇଥାଏ
ଯେତେବେଳେ ସେ ବଢାଇଥିବା ଗଛରେ ଫଳ ଫୁଲ ଫୁଟିଥାଏ ତେବେ ତାକୁ ଏହା ତାର ପୁରସ୍କାର ବୋଲି ଶିକ୍ଷା ଦିଅନ୍ତୁ । ଏପରି କରିବା ଦ୍ୱାରା ତାର ପରିଶ୍ରମ ଉପରେ ବିଶ୍ୱାସ ବଢିବ । ଜୀବନରେ ପରିଶ୍ରମ କରିବା ଫଳରେ ସୁଫଳ ପ୍ରାପ୍ତ ହେବ ବୋଲି ତାର ବିଶ୍ୱାସ ଜନ୍ମିବ ।

Comments are closed.