ନୂଆଦିଲ୍ଲୀ : ନିର୍ବାଚନ କମିସନ୍ ଅଧିକାରୀମାନେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବ୍ୟାଗ୍ ତଲାସୀ କରିଛନ୍ତି। ରାହୁଲ ନିର୍ବାଚନ ପ୍ରଚାର କରିବାପାଇଁ ମହାରାଷ୍ଟ୍ରର ଅମରାବତୀରେ ପହଞ୍ଚିବାପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍ ଚେକ୍ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଅଧିକାରୀମାନେ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ବ୍ୟାଗ୍ ଯାଞ୍ଚ କରିଥିବାବେଳେ ଆଜି ରାହୁଲଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ତେବେ ବିରୋଧୀ ନେତାଙ୍କ ବିରୋଧରେ ନିର୍ବାଚନ କମିସନ୍ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ଗୁଡ଼ିକ ତୀବ୍ର ବିରୋଧ କରିଥିବାବେଳେ କମିସନ୍ ଏହାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ରାହୁଲଙ୍କ ବ୍ୟାଗ୍ ଯାଞ୍ଚ ସମୟରେ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଅଧିକାରୀମାନେ ରାହୁଲଙ୍କ ବ୍ୟାଗ୍ ଯାଞ୍ଚ କରିବା ସମୟରେ ରାହୁଲ ଗାନ୍ଧୀ ଅନ୍ୟ ଦଳୀୟ ନେତାମାନଙ୍କ ସହ କଥା ହେଉଥିବା ଏଥିରେ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ନମିଳିବାରୁ ତାଙ୍କ ନିର୍ବାଚନ ରାଲି ବିଳମ୍ବ ହୋଇଥିଲା।

Comments are closed.