୬୧ ଦିନ ପରେ ହଟିଲା ମାଛଧରା କଟକଣା

ପାରାଦୀପ: ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ୬୧ ଦିନ ପରେ ହଟିଲା ସମୁଦ୍ରରୁ ମାଛ ଧରା କଟକଣା Iକଟକଣା ହଟିବା ପରେ ମତ୍ସ୍ୟଜୀବୀ ମାନେ ଉତ୍ସାହିତ ହୋଇପଡିଛନ୍ତି I ଆଜିଠାରୁ ସମୁଦ୍ର ମୁହାଣରୁ ଆରମ୍ଭ ହୋଇଛି ମାଛଧରା। ସମୁଦ୍ର ଭିତରକୁ ଯିବା ପାଇଁ ଡଙ୍ଗା ସଜାଡିବାରେ ବ୍ୟସ୍ତ ରହିଛନ୍ତି ମତ୍ସ୍ୟଜୀବୀ I ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମଗୁଡ଼ିକୁ ବୋଟ୍‌ରେ ଭର୍ତ୍ତି କରିଛନ୍ତି। ଏହାକୁ ସେମାନଙ୍କ ଭାଷାରେ ବାଟା ବୋଲି କୁହାଯାଏ। ଏଥିରେ ଗୋଟିଏ ଲେଖାଏ ବୋଟରେ ମତ୍ସ୍ୟଜୀବୀମାନେ ବରଫ,୮ ଦିନ ଚଳିବା ପାଇଁ ଡିଜେଲ, ଜାଲ,ଖାଇବା ସାମଗ୍ରୀ, ପାନୀୟ ଜଳ ଆଦି ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ ବୋଲି କୁହାଯାଇଥିଲା।

ସୂଚନାନୁସାରେ, ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି। ମାଛ ବଢ଼ିବାକୁ ୩/୪ ମାସ ଲାଗିଥାଏ। ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ। ଏହି ସମୟରେ ସମୁଦ୍ରରେ ଟ୍ରଲର, ଗିଲେଟିନ୍‌, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ। ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି। ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି। ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ।

Govt

Comments are closed.