ନ୍ୟୁୟର୍କ: ଆୟୋଜକ ଆମେରିକାକୁ ୭ ୱିକେଟ୍ରେ ହରାଇ ଭାରତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ପାଇବା ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଆମେରିକା ଏହି ମ୍ୟାଚ୍ରେ ପ୍ରଥମ ପରାଜୟ ବରଣ କରିଛି। ମ୍ୟାଚ୍ରେ ଭାରତକୁ ଆମେରିକା ୧୧୧ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।
ଭାରତ ଟସ୍ ଜିତି ବୋଲିଂ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲ୍ରେ ୱିକେଟ୍ ପାଇବାରୁ ଭାରତ ଯୁଗଳ ସଫଳତା ପାଇଥିଲା। ଭାରତୀୟ ବଂଶୋଦ୍ଭବ ନୀତୀଶ କୁମାର ୨୭ ରନ୍ର ଉପଯୋଗୀ ପାଳି ଖେଳିବାରୁ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍ କରିଥିଲା। ଅର୍ଶଦୀପ (୪/୯) ଶ୍ରେଷ୍ଠ ବୋଲିଂ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ଭାରତ ମଧ୍ୟ ଆରମ୍ଭରୁ ବିରାଟ କୋହଲିଙ୍କ ୱିକେଟ୍ ହରାଇଥିଲା। ସୌରଭ ନେତ୍ରଭଲକର ଆରମ୍ଭରୁ କୋହଲିଙ୍କ ସହ ରୋହିତ ଶର୍ମାଙ୍କୁ ମଧ୍ୟ ଆଉଟ୍ କରି ଘରୋଇ ଦଳ ଶିବିରରେ ଉତ୍ସାହ ଭରି ଦେଇଥିଲେ। ଋଷଭ ପନ୍ତ୍ ଲଢୁଆ ୨୦ ରନ୍ ସଂଗ୍ରହ କରି ଦଳକୁ ବିଜୟ ଆଡ଼କୁ ନେଇଥିଲେ ମଧ୍ୟ ନିଜ ୱିକେଟ୍ ସୁରକ୍ଷିତ କରିପାରି ନଥିଲେ। କିନ୍ତୁ ସୂର୍ଯ୍ୟକୁମାର ୟାଦବ (୫୦*) ଓ ଶିବମ ଦୁବେ (୩୧*) ଦାୟିତ୍ବ ସଂପନ୍ନ ବ୍ୟାଟିଂ କରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।

Comments are closed.