ନ୍ୟୁୟର୍କ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆମେରିକା ଓ ଭାରତ ନିକଟରୁ ପରାସ୍ତ ହୋଇଥିବା ପାକିସ୍ତାନ ଶେଷରେ ଖାତା ଖୋଲିଛି। ଏହି ପୂର୍ବତନ ବିଜେତା ୭ ୱିକେଟ୍ରେ କାନାଡ଼ାକୁ ପରାସ୍ତ କରିଛି। ଦଳର ଦ୍ରୁତ ବୋଲରମାନେ କାନାଡ଼ାକୁ ୧୦୬ ରନ୍ରେ ରୋକିଦେବା ପରେ ମହମ୍ମଦ ରିଜୱାନଙ୍କ ଅର୍ଦ୍ଧଶତକ (୫୩ ବଲ୍ରୁ ୫୩* ରନ୍) ବଳରେ ପାକିସ୍ତାନ ଏହି ବିଜୟ ପାଇଛି। କର ବା ମର ସ୍ଥିତିରେ ଥିବା ପାକିସ୍ତାନ ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କାନାଡ଼ା ପାୱାରପ୍ଲେ ଭିତରେ ସଂଘର୍ଷ କରିଥିଲା। ଗୋଟିଏ ପଟେ ପ୍ରାରମ୍ଭିକ ବ୍ୟାଟର୍ ଆରୋନ୍ ଜନ୍ସନ୍ ଲଢୁଆ ବ୍ୟାଟିଂ କରୁଥିବାବେଳେ ଦଶମ ଓଭର ବେଳକୁ କାନାଡ଼ା ୫୪ ରନ୍ରେ ୫ ୱିକେଟ୍ ହରାଇଦେଇଥିଲା। ଜନ୍ସନ୍ ୪୪ ବଲ୍ରୁ ୫୨ ରନ୍ ସଂଗ୍ରହ କରି ୧୪ତମ ଓଭରରେ ଆଉଟ୍ ହୋଇଥିବାବେଳେ ଶେଷ ଭାଗରେ ଆଉ ମାତ୍ର ୨ ଜଣ ସାଦ୍ ବିନ୍ ଜାଫର (୧୦) ସଲିମ୍ ସାନା (୧୩*) ଦୁଇ ଅଙ୍କ ଛୁଇଁ ପାରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର (୨/୧୩), ହାରିସ ରୌଫ (୨/୨୬), ସାହିନ ସାହା ଆଫ୍ରିଦି (୧/୨୧) ଓ ନସିମ୍ ସାହା (୧/୨୪) ମିଳିତ ଭାବେ କାନାଡାର ବିପର୍ଯ୍ୟୟ ଘଟାଇଥିଲେ। ରୌଫ ଏହି ଅବସରରେ ୧୦୦ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ୱିକେଟ୍ ପୂରଣ କରିଥିଲେ।

Comments are closed.