ଆମେରିକାଠୁ ହାରିଯିବା ପରେ ପାକିସ୍ତାନ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ୍ ଆକ୍ରମ

ଲାହୋର: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନବାଗତ ଆମେରିକା ନିକଟରୁ ପୂର୍ବତନ ବିଜେତା ପାକିସ୍ତାନର ପରାଜୟ ପରେ ଏବେ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଛି। ଦେଶର କିଂବଦନ୍ତି ଦ୍ରୁତ ବୋଲର ୱାସିମ୍ ଆକ୍ରମ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଉଭୟ ଦଳ ୧୫୯ ରନ୍ କରି ମ୍ୟାଚ୍କୁ ଟାଇ ରଖିବାରୁ ସୁପର୍ ଓଭରରେ ଫଏସଲା ହୋଇଥିଲା। ଆମେରିକା ୧୮ ରନ୍ କରିନେବା ପରେ ପାକିସ୍ତାନ ୧୩ ରନ୍ରେ ଅଟକି ଯାଇଥିଲା। ‘‘ଏହା ଅତ୍ୟନ୍ତ ଦୁଃଖଦାୟକ ପ୍ରଦର୍ଶନ। ମ୍ୟାଚ୍ ଜିତିବା ହାରିବା ଏହାର ଅଂଶବିଶେଷ, କିନ୍ତୁ ଶେଷ ବଲ୍ ଯାଏ ଦଳ ଲଢ଼ିବା କଥା। ଏହି ପରାଜୟ ପାକିସ୍ତାନ ପାଇଁ ଖରାପ କଥା’’ ବୋଲି ଆକ୍ରମ କହିଛନ୍ତି। ଏହା ପରଠାରୁ ପାକିସ୍ତାନ ସୁପର୍ ଏଇଟ୍ ଯୋଗ୍ୟାତା ଅର୍ଜନ ଲାଗି ସଂଘର୍ଷ କରିବ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ସହ ପାକିସ୍ତାନ ଜୁନ୍ ୯ ତାରିଖରେ ଖେଳିବ। ଏହା ପରେ ଆୟର୍ଲାଣ୍ଡ୍ ଓ କାନାଡ଼ା ବିପକ୍ଷରେ ମଧ୍ୟ ଦଳକୁ ଅପ୍ରତ୍ୟାଶିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ୧୯୯୨ ମସିହାର ଦିନିକିଆ ବିଶ୍ବକପ୍ରେ ପାକିସ୍ତାନକୁ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିବା ଆକ୍ରମ କହିଥିଲେ ‘ପାକିସ୍ତାନ ପାଳିର ପ୍ରାରମ୍ଭରୁ ଆମେରିକା ୱିକେଟ୍ ଦଖଲ କରିବା ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ୍ ଥିଲା’। ପାୱାର ପ୍ଲେ ଶେଷ ସୁଦ୍ଧା ପାକିସ୍ତାନ ୩୦/୩ରେ ସଂଘର୍ଷ କରିଥିଲା। ବାବର ଆଜମ ଓ ସଦାବ ଖାନ ଚତୁର୍ଥ ୱିକେଟ୍ ପାଇଁ ୭୨ ରନ୍ ଯୋଡ଼ି ସ୍ଥିତିରେ ପରିବର୍ତ୍ତନ କରିଥିଲେ। କ୍ଷେତ୍ରରକ୍ଷଣ ବେଳେ ଦଳର ପ୍ରଦର୍ଶନ ମଧ୍ୟ ଭଲ ନଥିଲା। ମୋଟାମୋଟି ଭାବେ ପାକିସ୍ତାନର ପ୍ରଦର୍ଶନ ହାରାହାରି ଥିଲା ବୋଲି ଆକ୍ରମ କହିଛନ୍ତି। ସୁପର୍ ଓଭରରେ ୧୮ ରନ୍ ବ୍ୟୟ କରିବା ପାକିସ୍ତାନର ଆଶାକୁ ଶକ୍ତ ଝଟ୍କା ଭଳି ଥିଲା। ତେବେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ଖେଳିଥିବାରୁ ଆମେରିକା ଅଧିନାୟକ ମୋନାଙ୍କ ପଟେଲଙ୍କୁ ଆକ୍ରମ ଉଚ୍ଚ ପ୍ରଶଂସା କରିଥିଲେ।

Govt

Comments are closed.