ଆଜି କୁମାର ପୂର୍ଣ୍ଣମୀ

ଆଜି ପବିତ୍ର କୁମାର ପୂର୍ଣ୍ଣମୀ I ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥିରେ କୁମାରୋତ୍ସବ ବା କୁମାର ପୂର୍ଣ୍ଣିମା ପାଳନ କରାଯାଏ । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିଥାନ୍ତି I ଏହି ଦିନ ଚନ୍ଦ୍ର ଓ କାର୍ତ୍ତିକଙ୍କର ପୂଜା କରାଯାଏ । ପ୍ରତ୍ୟେକ ଘରର କୁମାର କୁମାରୀମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଓ ସନ୍ଧ୍ୟା ସମୟରେ ନବୋଦିତ ଚନ୍ଦ୍ରଙ୍କର ଆରାଧନା କରନ୍ତି । କୁମାରୀମାନଙ୍କର ଏହା ଏକ ବଡ଼ ଉତ୍ସବ । ଏଥିପାଇଁ ମାସକ ପୂର୍ବରୁ ଏମାନଙ୍କର ପ୍ରସ୍ତୁତି ଚାଲିଥାଏ ।
ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ପର ଦିନଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଜହ୍ନି ଫୁଲର କୋଠି ତିଆରି କରି କଳସ ସ୍ଥାପନ କରି ତୁଳସୀ ଚଉରା ମୂଳେ ପୂଜା କରନ୍ତି ।
କୁମାର ପୂର୍ଣ୍ଣିମାରେ ଏହାର ଉଦ୍‌ଯାପନ ହୁଏ । ଆଉ କେହି କେହି ପୂର୍ଣ୍ଣିମାର ସାତଦିନ ପୂର୍ବରୁ କେବଳ କୋଠି ତିଆରି କରି ଏହି ପୂଜାବିଧି ପାଳନ କରନ୍ତି । ଏହି ସମୟରେ ପୁଚି ଗୀତ ଗାଇ ପୁଚି ଖେଳନ୍ତି । ସନ୍ଧ୍ୟାରେ ଚନ୍ଦ୍ରଙ୍କ ପୂଜା ପୂର୍ବରୁ ଭୋଗରେ ଲିଆ, ନଡ଼ିଆ ଓ ବିଭିନ୍ନ ପ୍ରକାରର ଫଳମୂଳର ଅଞ୍ଜଳି ଟେକି ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ । ଆକାଶରେ ଅକଁଳ ସୂର୍ଯ୍ୟଙ୍କର ଅରୁଣ ଦୀପ୍ତି ଓ ମଲାଜହ୍ନର ନିଷ୍ପ୍ରଭ ଜ୍ୟୋତି ଉଭୟର ସମାବେଶ ଘଟିଥାଏ ।
ସନ୍ଧ୍ୟାର ପୂଜା ଉତ୍ସବବେଳେ ମଧ୍ୟ ଆକାଶରୁ ଗୋଧୂଳିର ରକ୍ତିିମା ଲିଭିନଥାଏ କିମ୍ବା ପୂର୍ଣ୍ଣିମା ଜହ୍ନ ତା’ର ସମୁଦାୟ କାନ୍ତି ପ୍ରକାଶ କରିନଥାଏ । ଏକକାଳୀନ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟଙ୍କ ପୂଜା କରି କୁମାରୀମାନେ ନିଜର ସୌଭାଗ୍ୟ କାମନା କରିଥାନ୍ତି । କୁମାରୀମାନେ କୌତୁକ କ୍ରୀଡ଼ାକରି କୁମାର ପୂର୍ଣ୍ଣିମା ରାତ୍ରିଟି ଉଜାଗର କାଟିଥାନ୍ତି । ଏହି ପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୁଏ । କୁମାରୀ ପୂର୍ଣ୍ଣିମା ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରନ୍ତି ।

Launching Ceremony of “AYUSHMAN BHARAT

Comments are closed.