ରାମ ତାରକ ପରସାଦେ ,ମୋହର କବିପଣ ଉଦେ

ଉମା ପ୍ରସାଦ

ଆମେ ଯଦି ଘୁୁମୁସର ଇତିହାସକୁ ଅନୁଧ୍ୟାନ କରିବା,ତେବେ ରାମଚନ୍ଦ୍ରଙ୍କ ଭଳି ଉପେନ୍ଦ୍ରଙ୍କର ଯଜ୍ଞ ପ୍ରସାଦରୁ ଜନ୍ମବୋଲି ଉଲ୍ଲେଖ ଅଛି । ତାଙ୍କର ମାତା ଓ ମାତାମହୀ ଥିଲେ ଅତ୍ୟନ୍ତ ଧର୍ମପରାୟଣା । ସୁପୁତ୍ର ଜନ୍ମ ନିମନ୍ତେ ପିତାମହ ଧନଞ୍ଜୟ ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କରିଥିଲେ । ଉପେନ୍ଦ୍ରଙ୍କର ଜନ୍ମ ଜାତକରେ ମନର କାରକ ଚନ୍ଦ୍ର, ଦେବଗୁରୁ ବୃହସ୍ପତି ଓ ଦୈତ୍ୟଗୁରୁ ଶୁକ୍ରଙ୍କର ସ୍ଥାନ ଥିଲା ନବମ ଘରେ । ଯାହା ସନ୍ତାନ ବିଷ୍ଣୁଭକ୍ତ ହେବାର ଏକ ସୂଚନା । ଯୋଗବାରିଧି ଆୟୁର୍ବେଦ ଖଣ୍ଡ ଅନୁଯାୟୀ ଚନ୍ଦ୍ର, ଗୁରୁ ଓ ଶୁକ୍ର ପଞ୍ଚମ କିମ୍ବା ନବମରେ ଥିଲେ ବ୍ୟକ୍ତି ବିଷ୍ଣୁଲୋକରୁ ଆସି ଜନ୍ମଗ୍ରହଣ କରିଥାଏ । ବାଲ୍ୟକାଳରୁ ଉପେନ୍ଦ୍ର ନିଜ ମାତାମହୀଙ୍କଠୁ ପୁରାଣର କାହାଣୀମାନ ଶୁଣି ଈଶ୍ୱରଙ୍କ ପ୍ରତି ତାଙ୍କର ଅତୁଟ ଭକ୍ତିଭାବ ଉଦ୍ରେକ ହୋଇଥିଲା । ମାତ୍ର ୧୪ ବର୍ଷ ବୟସରେ ସେ ଇଷ୍ଟଦେବୀ ଦୁର୍ଗାଙ୍କୁ ମାତ୍ର ଛ’ ମାସ ଜପକରି ମନ୍ତ୍ରସିଦ୍ଧ ହୋଇଥିଲେ ଏବଂ କବିତ୍ୱର ଶକ୍ତି ପ୍ରାପ୍ତିଲାଗି ତାଙ୍କୁ ବର ପ୍ରାର୍ଥନା କରି ସଫଳ ହୋଇଥିଲେ ।

ଘୁମୁସରର ଇତିହାସ ଅନୁଯାୟୀ ଉପେନ୍ଦ୍ର ଭଞ୍ଜ ଥିଲେ ତନ୍ତ୍ରସିଦ୍ଧ ଏବଂ ସେ ଶକ୍ତି ସହିତ ପରଂବ୍ରହ୍ମ ନାରାୟଣ ତଥା ଇଷ୍ଟ ରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ଥିଲେ । ପ୍ରତ୍ୟେହ ସେ ଅଶ୍ୱାରୋହଣ କରି ଓଡ଼ଗæô ରଘୁନାଥ ଜିଉଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ବାଟରେ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ ଜଣେ ସାଧକ ଶବ ସାଧନା କରୁଛି । ଦେବୀ ଭୈରବୀ ରୂପରେ ଆବିର୍ଭୂତା ହୋଇଛନ୍ତି । ଦେବୀଙ୍କ ଦର୍ଶନରେ ସାଧକ ହୋଇଛି ମୂର୍ଚ୍ଛିତ । ଏହାର ସୁଯୋଗ ନେଇ ଉପେନ୍ଦ୍ର ଶବ ଉପରେ ବସିପଡ଼ି ଦେବୀଙ୍କୁ ବର ପ୍ରାର୍ଥନା କଲେ ଏବଂ ଭୈରବୀଙ୍କ କୃପାରୁ ସେ ହୋଇଥିଲେ କବିତ୍ୱର ଅଧିକାରୀ । ଅନୁରୂପ ଏକ କିମ୍ବଦନ୍ତୀ ଅନୁଯାୟୀ ବ୍ୟାଘ୍ରଦେବୀଙ୍କ ନିକଟରେ ଜଣେ ସାଧକ ବ୍ରାହ୍ମଣକୁ ବଳିଦେଇ ସେ କବିତ୍ୱ ଶକ୍ତି ପ୍ରାପ୍ତ ହୋଇଥିଲେ । ଏ କିମ୍ବଦନ୍ତୀର ସତ୍ୟତା ସନ୍ଧିହୀନ ମାତ୍ର । ବାଲ୍ୟକାଳ ଓ କିଶୋର ଅବସ୍ଥାରେ ଉପେନ୍ଦ୍ର ଦୁର୍ଗା ଓ ବ୍ୟାଘ୍ରଦେବୀଙ୍କର ଭକ୍ତ ଥିଲେ, ଏଥିରେ କୌଣସି ଦ୍ୱିମତ ନାହିଁ ।

ଭଞ୍ଜ ପ୍ରତିଭାର ସ୍ପୁରଣରେ ଶକ୍ତିର ପ୍ରସନ୍ନତା ମହତ୍ୱପୂର୍ଣ୍ଣ । ମାତ୍ର ଏହାର ବିକାଶ ଓ ସିଦ୍ଧିରେ ରାମଚନ୍ଦ୍ରଙ୍କର ଆଶୀର୍ବାଦ ଓ ମାର୍ଗଦର୍ଶନ କାର୍ଯ୍ୟ କରିଛି । ସ୍ୱୟଂ ନିଜେ ଉପେନ୍ଦ୍ର ନିଜର ପ୍ରତିଟି କାବ୍ୟରେ ଏହା ସ୍ୱୀକାର କରିଛନ୍ତି । ସେ ସଦାସର୍ବଦା ପ୍ରଭୁ ରାମଚନ୍ଦ୍ରଙ୍କର ମହିମା ଓ ମହତ୍ୱ ବର୍ଣ୍ଣନାରେ ଶତମୁଖ । କୈଶର ଅବସ୍ଥାରେ ରାମତାରକା ମନ୍ତ୍ର ସିଦ୍ଧି ଲାଗି ସେ ରାଜଗୁରୁଙ୍କ ଦ୍ୱାରା ଉପବିଷ୍ଟ ହୋଇଥିଲେ । ନିଜର ଉଦ୍ଧେଶ୍ୟକୁ ସାକାର କରିବା ନିମିତ୍ତ ସେ ଅନେକ ରାମପୀଠ ଭ୍ରମଣ କରିଥିଲେ ମଧ୍ୟ ନୟାଗଡ଼ ମାଳିସାହି ଥିଲା ତାଙ୍କ ରାମ ସାଧନାର କେନ୍ଦ୍ର । ସେଠାରେ ଏବେବି ଏକ ରାମ ମନ୍ଦିର ଓ ଶିବ ମନ୍ଦିର ବିଦ୍ୟମାନ । ଶିବ ହେଉଛନ୍ତି ରାମତାରକ ମନ୍ତ୍ରର ପ୍ରବର୍ତ୍ତକ । ଉପେନ୍ଦ୍ରଙ୍କ କାବ୍ୟରେ ରାମଙ୍କ ସହିତ ଶିବଙ୍କୁ ବହୁବାର ପ୍ରାର୍ଥନା କରାଯାଇଛି । ଘୁମୁସର ଇତିହାସ ଅନୁଯାୟୀ ଉପେନ୍ଦ୍ର ଓଡଗାଁ ରଘୁନାଥଙ୍କ ପ୍ରତିଷ୍ଠିତା । ଆଜି ମଧ୍ୟ ପୁରୀର କୁେ„ଇବେଣ୍ଟ ସାହିରେ ପ୍ରତିଷ୍ଠିତ ଏକ ମଠର ନାମ ଘୁମୁସର ମଠ । ଯେଉଁଠାରେ ସୀତାରାମଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି । ଉପେନ୍ଦ୍ର ନିଜର ଶ୍ରୀକ୍ଷେତ୍ର ଆଗମନ କାଳରେ ସୀତାରାମଙ୍କୁ ଆରଧନା କରିଥିଲେ ।

ପୈତୃକ ପରମ୍ପରାନୁସାରେ ଉପେନ୍ଦ୍ର ଥିଲେ ବୈଷ୍ଣବ । ତାଙ୍କ ସମୟକୁ କୃଷ୍ଣପ୍ରେମ ଧର୍ମ ସହିତ ଚୈତନ୍ୟଙ୍କର ଆବିର୍ଭାବ ଘଟିସାରିଥିଲା । ରାମାନୁଜ ଭକ୍ତି ଧର୍ମ ତାର ବିଚିତ୍ର ସ୍ୱରୂପଟିକୁ ନେଇ ଓଡ଼ିଶାରେ ବହୁଳ ପ୍ରସାରିତ ହୋଇଥିଲା । ଚୈତନ୍ୟଙ୍କ ପରକୀୟା ପ୍ରୀତିର ଉଦାହରଣ ଉପେନ୍ଦ୍ରଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ରତି ଓ ପ୍ରୀତିର କାବ୍ୟକାର ହୋଇ ମଧ୍ୟ ସାମାଜିକ ଉତ୍ସୃଙ୍ଖଳତାକୁ ସେ ପ୍ରଶୟ ଦେଇ ନ ଥିଲେ । ସ୍ୱକୀୟା ପ୍ରୀତି ଓ ଏକ ପନିୀବ୍ରତାର କଠୋର ପରିଧି ଉପେନ୍ଦ୍ର ଲଙ୍ଘନ କରିନାହାନ୍ତି । ଉପେନ୍ଦ୍ର ଥିଲେ ଶକ୍ତି ଓ ରାମଙ୍କର ପରମ ଭକ୍ତ । ଯଦିଓ ରାମଚନ୍ଦ୍ର ତାଙ୍କର ଇଷ୍ଟ ଓ ମାର୍ଗଦର୍ଶକ ଥିଲେ ମାତ୍ର ହିନ୍ଦୁ ଧର୍ମର ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରତି ତାଙ୍କର ଥିଲା ଯଥୋଚିତ ସମ୍ମାନ । ସେ ତାଙ୍କ କବିତା ଆବୃତ୍ତିରେ ଦୁର୍ଗା, ରାମ, ବିଷ୍ଣୁ, ଶିବ, କୃଷ୍ଣ, ଜଗନ୍ନାଥ ବିବିଧ ଅବତାରମାନଙ୍କୁ ସମ୍ମାନିତ କରିଛନ୍ତି ।

ରାମଚନ୍ଦ୍ରଙ୍କୁ ତାଙ୍କର କବି ପ୍ରେରଣାର ଉସି ଭାବରେ ବର୍ଣ୍ଣନା କରି ସେ ‘ଲାବଣ୍ୟବତୀ’ କାବ୍ୟରେ ଲେଖିଛନ୍ତି ‘ରାମ ତାରକ ପରସାଦେ- ମୋହର କବିପଣ ଉଦେ’ ଏଥିପାଇଁ ବୋଧହୁଏ ସେ ପ୍ରଥମେ ୮ ଅନୁପ୍ରାସରେ ‘ବୈଦେହୀଶ ବିଳାଶ’ କାବ୍ୟ ରଚନା କରିଥିଲେ ।

ଏହି କାବ୍ୟକୁ ନେଇ ଏକ ରୋଚକ କଥା ଆସିଥାଏ । ପିଲାବେଳେ ଉପେନ୍ଦ୍ର ଗୋଟିଏ କବିତା ଲେଖି ନିଜ ପିତୃବ୍ୟ ଧନଞ୍ଜୟ ଭଞ୍ଜଙ୍କୁ ଦେଖାଇବା ବେଳେ ସେ ହେୟ ଜ୍ଞାନ ପୂର୍ବକ କହିଥିଲେ କି କବିତା ଲେଖିଛୁ ? ସେହିଦିନ ଉପେନ୍ଦ୍ର କହିଲେ ଅଜା ଯେଉଁଟାକୁ ନିରର୍ଥକ ଓ ହେୟ ମନେକଲ, ସେଇ ‘ବ’ ଅନୁପ୍ରାସରେ କାବ୍ୟ ରଚନା କରିବି ଓ ‘ବୈଦେହୀଶ ବିଳାଶ’ ଆଜି କାବ୍ୟ ଜଗତର ଏକ ମହାନକାବ୍ୟ । ରାମଚନ୍ଦ୍ରଙ୍କ ଭାବନା ଓ ଭକ୍ତି ତାଙ୍କର ସମସ୍ତ କାବ୍ୟରେ ବିକ୍ଷିପ୍ତ ଭାବରେ ରହିଛି । ରାମ ଓ ବିଷ୍ଣୁଙ୍କ ମଧ୍ୟରେ ସେ କୌଣସି ତାରତମ୍ୟ ଦେଖି ନାହାନ୍ତି । ଯାହାର ନିମ୍ନୋକ୍ତି ଉଦାହରଣରୁ ସ୍ପଷ୍ଟ ଅନୁମେୟ ।

‘କହେ ଉପଇନ୍ଦ୍ର ମୋ ପ୍ରଭୁ ଶ୍ରୀରାମ ବୈକୁଣ୍ଠ ସାକ୍ଷାତ ।
ଜାତକଲେ କ୍ଷୀରାର୍ଣ୍ଣବୁ ସୁଧା ମୋର ଜୀରାର୍ଣ୍ଣକୁ ରସ ଗୀତ, ସେତ ।’

ଠିକ୍‌ ଲାବଣ୍ୟବତୀରେ ସେ ଲେଖିଛନ୍ତି-‘ଜୟ ଜୟ ଜୟରାମ ଜନକ ସୁଖଦ,
ଭୀମ ହରଷ ଦାନରେ ସଦା ବିଶାରଦ ।’
ଠିକ୍‌ ସେପରି ‘ତତୈକ’ କାବ୍ୟରେ-
‘ହରିତାସ୍ୱର ସର୍ବଦା ଅଙ୍କହୀନ ସେହି,
ରାଘବ ଶିବ ବିଧିରେ ଉପଇନ୍ଦ୍ର ଧ୍ୟାୟୀ ଯେ।’

କେବଳ ରାମଚନ୍ଦ୍ର ତାଙ୍କର ଇଷ୍ଟ ଥିଲେ ତାହା ନୁହେଁ ଏଥି ସହିତ ମଧ୍ୟ ସେ ସୀତା, ଲକ୍ଷ୍ମଣ, ଭରତ, ଶତୃଘ୍ନ, ଓ ହନୁମାନଙ୍କୁ ମଧ୍ୟ ସେ ବନ୍ଦନା କରିଛନ୍ତି । ସେ ସୀତାରାମଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ କସ୍ମିନ୍‌କାଳେ ତାଙ୍କର ହୃଦୟ କନ୍ଦରରୁ ଅନ୍ତର ନ ହେବା ଲାଗି ସୀତାରାମଙ୍କୁ ଆବେଦନ ଜଣାଇ ‘ଲାବଣ୍ୟବତୀ’ କାବ୍ୟରେ ସେ ଲେଖିଛନ୍ତି –

‘କହି କବି ଭଞ୍ଜ ବୀରବର ଦିବ୍ୟରସ
ଆହେରାମ ଅବିଘ୍ନେ ଏ ଗୀତକର ଶେଷ।
ସୀତା ସହିତେ ମୋ ଚିତୁ ନୋହିବ ଅନ୍ତର
ଏହି ଅଭିଷ୍ଟକୁ କରିଅଛି ନିରନ୍ତର ହେ ।’

‘ଅବନା ରସ ତରଙ୍ଗରେ’ ସେ ଯୁଗ ଯୁଗ ଧରି ତାଙ୍କ ପାଦରେ ସ୍ଥାନ ଲଭିବାକୁ ଲେଖିଛନ୍ତି-
‘ଉପଇନ୍ଦ୍ର ଭଞ୍ଜର ସହସ୍ର ଦଣ୍ଡବତ୍‌,
ଜନମ ଜନମ କର ତବର ଭକତ ।’

ଉପରୋକ୍ତ ଆଲୋଚନାରୁ ଏହା ଅନୁମେୟ ହୁଏ ଯେ ରାମଚନ୍ଦ୍ର ଥିଲେ ତାଙ୍କର ଆଧ୍ୟାତ୍ମିକ ଭାବନାର କେନ୍ଦ୍ରବିନ୍ଦୁ ।
ଉମା ପ୍ରସାଦ, ଖୋର୍ଦ୍ଧା

Govt

Comments are closed.