ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟା ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ I ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହୋଇଥିଲା। କଟକ କନିକା ଛକ ସ୍ଥିତ ବାସଭବନରେ ବହୁ କଳାକାର ତାଙ୍କର ଶେଷ ଦର୍ଶନ କରୁଛନ୍ତି । ତାଙ୍କର ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।
୬୦ ଦଶକରେ ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ଦର୍ଶକ ବାନ୍ଧି ହୋଇ ଯାଉଥିଲେ । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏହାସହ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ।
୧୯୪୫ରେ ଜନ୍ମଗ୍ରହଣ କରିଥିବା ଝରଣା ଦାସ ଓଡ଼ିଆ ସିନେମା ଜଗତରେ ସୃଷ୍ଟି କରିଥିଲେ ଏକ ସ୍ଵତନ୍ତ୍ର ସ୍ଥାନ I ସେ ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ‘ଅମଡା ବାଟ’ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ I ଏହାପରେ ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ।
ଏହା ସହ ସେ କଟକ ଆକାଶବାଣୀରେ ଜଣେ ବିଶିଷ୍ଟ ଶିଶୁ କଳାକାର ଭାବେ ପ୍ରଥମେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ। ପରେ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ଲାଭ କରିଥିଲେ। ଏହସାଙ୍ଗକୁ ସେ ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ। ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା।
ସିନେମାରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାର ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ’ ପୁରସ୍କାରରେ ସମ୍ମାନିତ କରିଥିଲେ।ତାଙ୍କର ଦୁଇ ପୁତ୍ର ଅଛନ୍ତି। ତାଙ୍କର ଶେଷକୃତ୍ୟ ଗୋରାକବରଠାରେ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

Comments are closed.