ଭୁବନେଶ୍ୱର : ଆଜି ଦିନ ୨ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା I ଅର୍ଚ୍ଚନା ନାଗ ମାମଲାରେ ପ୍ରଭୁରୁ ଇଡି ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ପହଞ୍ଚି ପାରିନଥିଲେ ବୋଲି ସୂଚନା ରହିଥିଲା I ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖିଥିଲେ I ଏହା ସହ ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ କହିଥିଲେ।
ସୂଚନାଯୋଗ୍ୟ, ପ୍ରଥମେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ନୟାପଲ୍ଲୀ ଥାନାରେ ବ୍ଲାକମେଲିଂ ଅଭିଯୋଗ କରି ଏତଲା ଦେଇଥିଲେ I ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ଜଣେ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ । ଅର୍ଚ୍ଚନା ମାଗୁଥିଲେ ୩ କୋଟି ଟଙ୍କା । ନ ହେଲେ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦେଇଥିଲେ ଅର୍ଚ୍ଚନା । ଏହି ଘଟଣାରେ ପୋଲିସ ତନାଘନା କରି ବହୁ ବଡ଼ ବଡ଼ ଘଟଣାର ଗୁମର ଖୋଲିବା ପରେ,ମାମଲା ବର୍ତ୍ତମାନ ଯାଇ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ହାତରେ ପହଁଚିଛି I ଏହି ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା । ଅକ୍ଷୟ ହାଜର ହେବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥାନ୍ତା। ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ସେ ପ୍ରତ୍ୟକ୍ଷ ଭାବରେ ଆସିପରି ନଥିଲେ I ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଝାରପଡା ଜେଲରେ ଅଛନ୍ତି। ଅନ୍ୟପଟେ ନାଗ-ଚାନ୍ଦ ଦମ୍ପତ୍ତିଙ୍କର ଅନ୍ୟତମ ସହଯୋଗୀ ଖଗେଶ୍ୱର ପତ୍ରକୁ ଗିରଫ କରି ଇଡି ରିମାଣ୍ଡରେ ନେଇ ଜେରା କରୁଛି I

Comments are closed.