ନୂଆଦିଲ୍ଲୀ : ଆଜି ୧୫ ନଭେମ୍ବର I ଅର୍ଥାତ୍ ଆଜି ବିଶ୍ୱ ଜନସଂଖ୍ୟା ୮ (୮୦୦ କୋଟି) ବିଲିୟନ ପାର କରିଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ବିଷୟରେ ସୂଚନା ଦିଆ ଯାଇଛି । ମିଳିତ ଜାତିସଂଘ ଏହାକୁ ମାନବ ବିକାଶରେ ଏକ ମାଇଲଖୁଣ୍ଟ ଭାବରେ ଦେଖୁଛି। ଏହା ବ୍ୟତୀତ ମିଳିତ ଜାତିସଂଘର ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ୨୦୨୩ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍କୁ ପଛରେ ପକାଇବ ।
ମିଳିତ ଜାତିସଂଘର ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮ .୫ ବିଲିୟନରେ ପହଞ୍ଚିବ। ଏଥି ସହିତ ୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୯ .୭ ବିଲିୟନ ଏବଂ ୨୧୦୦ ସୁଦ୍ଧା୧୦ .୪ ବିଲିୟନ ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଜାତିସଂଘର ହିସାବ ଅନୁଯାୟୀ ୨୦୨୩ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ଚୀନକୁ ଟପିବ । ଗତ ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିର ମାର୍କ ପାର କରିଥିଲା। ଆଜି ମିଳିତ ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୧୯ତମ ଶତାବ୍ଦୀରେ ବିଶ୍ୱରେ ମାତ୍ର ୧.୬ ବିଲିୟନ ଲୋକ ରହିଥିଲେ। ଏହାପରେ ଜନସଂଖ୍ୟା ପ୍ରାୟ ୫ ଗୁଣ ବଢ଼ିଛି। ଆକଳନ ଅନୁସାରେ, ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବାକୁ ଆଉ ୧୫ ବର୍ଷ ସମୟ ଲାଗିବ। ସେହିପରି ୯୦୦ କୋଟିରୁ ୧୦୦୦ କୋଟିରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଆଉ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
ଏକବିଂଶ ଶତାବ୍ବୀର ଶେଷ ବେଳକୁ ବିଶ୍ୱ ଜନସଂଖ୍ୟା ୧୦.୪୩ ବିଲୟନ ସ୍ତରରେ ପହଞ୍ଚି ଯାଇଥିବ। ଏହାପରେ ଧୀରେଧୀରେ ଏହା ହ୍ରାସ ପାଇବା ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି I
ଜାତିସଂଘର ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ୧୯୫୦ ପରଠାରୁ ପ୍ରଥମ ଥର ପାଇଁ ଜନସଂଖ୍ୟା ଅଭିବୃଦ୍ଧିର ଗତି ବହୁତ ଧୀରେ ଧୀରେ ହ୍ରାସ ପାଇଛି। ୨୦୨୦ ମସିହାରେ ଜନସଂଖ୍ୟା ବୃଦ୍ଧି ହାର ୧ ପ୍ରତିଶତରୁ କମ୍ ହୋଇଛି ଇ
ଆମେରିକାର ଜନସଂଖ୍ୟା ୩୩୧ ମିଲିୟନ, ଇଣ୍ଡୋନେସିଆର ୨୭୩.୫୨ ମିଲିୟନ, ପାକିସ୍ତାନର ୨୨୦.୮୯ ମିଲିୟନ, ବ୍ରାଜିଲର ୨୧୨.୫୬ ମିଲିୟନ, ନାଇଜେରିଆର ୨୦୬.୧୪ ମିଲିୟନ, ବାଂଲାଦେଶର ୧୬୪.୬୯ ମିଲିୟନ, ରୁଷର ୧୪୫.୯୩ ମିଲିୟନ ଓ ମେକ୍ସିକୋର ଜନସଂଖ୍ୟା ୧୨୮.୯୩ ମିଲିୟନ ରହିଛି।
ଚଳିତ ବର୍ଷ ଠାରୁ ଚାଇନାର ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିଛି। ଏହାର ଅର୍ଥ ଆଗକୁ ମଧ୍ୟ ବେଜିଂ ଜନସଂଖ୍ୟା ତଳକୁ ଖସିବ। କିନ୍ତୁ ଭାରତର ଜନସଂଖ୍ୟା ୨୦୬୪ ଯାଏ ତଳ ମୁହାଁ ହେବାର କୌଣସି ସମ୍ଭାବନା ନାହିଁ। ବିକଶିତ ଦେଶଗୁଡ଼ିକ ଅପେକ୍ଷା ବିକାଶୀଳ ରାଷ୍ଟ୍ର ଗୁଡ଼ିର ଜନସଂଖ୍ୟା ଅଧିକ ବେଗରେ ବୃଦ୍ଧି ପାଉଥିବା ଜାତିସଂଘ କହିଛି।

Comments are closed.