ସବୁ ବୟସର ସବୁ ବର୍ଗର ଲୋକ ଚା ପିଇବାକୁ ପସନ୍ଦ କରନ୍ତି । ଚାର ଅଲଗା ଅଲଗା ନାମ ମଧ୍ୟ ରହିଛି ଯେପରିକି କଡକ ଚା, ତନ୍ଦୁରୀ ଚା, ମସଲା ଚା ଇତ୍ୟାଦି । କିନ୍ତୁ ଗ୍ୱାଲିୟରର ଜଣେ ବ୍ୟକ୍ତି ଚାର ନାମକୁ କେବଳ ବଦଳାଇ ନାହାନ୍ତି ବରଂ ଚାର ଭେରାଇଟିକୁ ମଧ୍ୟ ବଦଳାଇ ଦେଇଛନ୍ତି ଯେ ଲୋକମାନେ ଦୂରଦୂରାନ୍ତରୁ ଆସି ତାଙ୍କ ପାଖରେ ଚା ପିଉଛନ୍ତି । ଅଳ୍ପ ସମୟ ଭିତରେ ସେ ଏତେ ପବ୍ଲିସିଟି ହାସଲ କରିଛନ୍ତି ଯେ, ଲୋକମାନେ ତାଙ୍କ ଦୋକାନରେ ଗୀତ ରେକର୍ଡ କରିବାକୁ ପହଞ୍ଚି ଯାଉଛନ୍ତି । ଗ୍ୱାଲିୟରର ଗୋଲା ମନ୍ଦିର ରୋଡ୍ରେ ହନୁମାନ ନଗର ନିକଟରେ ଏକ ଚା ଦୋକାନ ରହିଛି ଯେଉଁଠି ସବୁ ସମୟରେ ଭିଡ ଲାଗି ରହିଥାଏ । ଏହି ଦୋକାନର ନାମ ରହିଛି କାଳୁ ବେବଫା ଚାବାଲା ।
ଦୋକାନ ସାମ୍ନାରେ ଯେଉଁ ବୋର୍ଡ ଲାଗିଛି ସେଥିରେ ବିଭିନ୍ନ ପ୍ରକାର ଚାର ନାମ ଲେଖାଯାଇଛି ଯାହା ଏପରି ବିଚିତ୍ର ଯେ ଆପଣ ନିଶ୍ଚୟ ତାହା ପିଇବାକୁ ଇଚ୍ଛା କରିବେ । ଦୋକାନୀ ରାମଜିତ୍ ଓରଫ କାଳୁ କହିଛନ୍ତି, ସେ ତାଙ୍କ ଜୀବନରେ ଦୁଇଥର ପ୍ରେମରେ ଧୋକା ଖାଇଛନ୍ତି । ଅନ୍ୟ କାହାକୁ ବେବଫା କହିବା ପରିବର୍ତ୍ତେ ସେ ନିଜ ପାଇଁ ଏହି ଶବ୍ଦକୁ ବାଛିନେଲେ ଓ ଚା ଦୋକାନର ନାମ ଏହିପରି ରଖିବାକୁ ନିଷ୍ପତ୍ତି ନେଲେ । କାଳୁଙ୍କ ଏହି ଚା ଦୋକାନରେ ଆପଣଙ୍କୁ ବିଭିନ୍ନ ସ୍ୱାଦର ଚା ମିଳିବ ଯେଉଁଥିରେ ସବୁଠାରୁ ଶସ୍ତା ଚାର ଦାମ୍ ୫ ଟଙ୍କା । ଏହି ଚା ପୁଣି ସମସ୍ତଙ୍କ ଲାଗି ନୁହେଁ । ଯେଉଁମାନେ ପ୍ରେମରେ ଧୋକା ଖାଇଥିବେ ସେମାନଙ୍କ ଲାଗି ଏହି ଚା । ସେହିପରି ଆଉ ଏକ ଚା ରହିଛି ଯାହାର ମୂଲ୍ୟ ୪୯ଟଙ୍କା । ପ୍ରେମ କରି ଯେଉଁମାନେ ଜୀବନରେ ସବୁ କିଛି ପାଇଛନ୍ତି ସେମାନଙ୍କ ଲାଗି ଏହି ଚା । ସେହିପରି ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଙ୍କ ଲାଗି ଚାର ଦାମ୍ ରଖାଯାଇଛି ୧୦ ଟଙ୍କା । ଚକୋଲେଟ୍ ଚା, ଅକେଲାପନ ଚା, ମନ ପସନ୍ଦର ସାଥି ପାଇବା ଲାଗି ବି ସ୍ୱତନ୍ତ୍ର ଚା ଏଠାରେ ମିଳିଥାଏ । କେବଳ ଏତିକି ନୁହେଁ ଯେଉଁମାନେ ପନିୀ ଠାରୁ ପ୍ରତାରିତ ହୋଇଛନ୍ତି ସେମାନଙ୍କୁ ଏଠି ମାଗଣାରେ ଚା ପିଇବାକୁ ମିଳିଥାଏ ।

Comments are closed.