ଜାକର୍ତା: ଭାରତ ପ୍ରଥମର ପାଇଁ ଜି-୨୦(ଗ୍ରୁପ୍ ଅଫ୍ ଟେ୍ୱଣ୍ଟ) ଭଳି ବିଶ୍ୱ ଆର୍ଥିକ ସମ୍ମିଳନୀକୁ ଅଧ୍ୟକ୍ଷ କରୁଥିବାରୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଲୋଗୋ ଉନ୍ମୋଚନ କରିଥିଲେ । ଏହାକୁ ନେଇ ଦେଶବାସୀ ବେଶ୍ ଉତ୍ସୁକୁତା ରହିଛନ୍ତି । ଆସନ୍ତା ସପ୍ତାହରେ ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଛି । ତେବେ ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେନାହିଁ ବୋଲି ଆଜି ଜଣେ ଇଣ୍ଡୋନେସୀୟ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଋଷ ୟୁକ୍ରେନ୍ ସହ ଯୁଦ୍ଧ ଚଲାଉଥିବାରୁ ଆମେରିକା ଓ ତାର ମିତ୍ର ରାଷ୍ଟ୍ରମାନଙ୍କ ସହ ସମ୍ମୁଖୀନ ନହେବା ପାଇଁ ପୁଟିନ୍ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଜି-୨୦ କାର୍ଯ୍ୟକ୍ରମର ଚିଫ୍ ଅଫ୍ ସପୋର୍ଟ ଲୁହୁତ ବିନ୍ସାର ପାଣ୍ଡଜୈତାନ୍ ଏକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହି ସମ୍ମିଳନୀକୁ ଆସୁଥିବା ରୁଷୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଭାଲ୍ଭୋର ।
ସେ ଆହୁରି ମଧ୍ୟ କହିଛନ୍ତି, ରୁଷ୍ ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡୋନେସୀୟ ସରକାର ସମ୍ମାନ ଦେଉଛନ୍ତି । ଶିଖର ବୈଠକରେ ଯୋଗ ନ ଦେବାର କାରଣ ପୂର୍ବରୁ ନିଜେ ପୁଟିନ୍ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଟେଲିଫୋନ୍ ଯୋଗେ ଅତି ଆତ୍ମୀୟ ଭାବେ କଥାବର୍ତ୍ତା କରି ବୁଝାଇ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ନଭେମ୍ବର ୧୫ରେ ବାଲିରେ ଆୟୋଜନ ହେବାକୁ ଥିବା ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ଅନ୍ୟ ବିଶ୍ୱନେତାମାନେ ଯୋଗ ଦେବେ ।

Comments are closed.