୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର : ଓଡ଼ିଶାରୁ ୨ ଜଣ ସମ୍ମାନିତ

ନୂଆଦିଲ୍ଲୀ : ବିଜ୍ଞାନ ଭବନଠାରେ ଆୟୋଜିତ ହୋଇଯାଇଛି ୨୦୨୦ବର୍ଷ ପାଇଁ ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ I ୨୦୨୦ ବର୍ଷ ପାଇଁ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ଗ୍ରହଣ କରିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ରହିଥିଲେ ।

ଏହି ସମାରୋହରେ ‘ସୁରରାତି ପୋତ୍ରୁ’ ଶ୍ରେଷ୍ଠ ଫିଚର ଫିଲ୍ମ, ଅଜୟ ଦେବଗନ (ତାନାଜୀ ଚଳଚ୍ଚିତ୍ର ପାଇଁ) ଓ ଦକ୍ଷିଣୀ ତାରକା ସୂରିୟା (ସୁରରାତି ପୋତ୍ରୁ ଚଳଚ୍ଚିତ୍ର ପାଇଁ) ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

ଅନ୍ୟପଟରେ ଏହି ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ଦେଇଛି । ଓଡ଼ିଆ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର ଉପରେ ଆଧାରିତ  ପୁସ୍ତକ ‘କାଲି ପାଇଁ କାଲିର ସିନେମା’ କୁ ପୁରସ୍କାର ପ୍ରଦାନ କରାଯାଇଛି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକର ଲେଖକ ତଥା ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟଦେଓ ଏବଂ ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି I

ଏହି ଅବସରରେ ଲେଖକ ସୂର୍ଯ୍ୟଦେଓ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତାକୁ ଓଡ଼ିଆ ଭାଷାର ପୁସ୍ତକ କାଲି ପାଇଁ କାଲିର ସିନେମା ସର୍ବପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଛି । ଏହି ପୁରସ୍କାରର ହକଦାର କେବଳ ମୁଁ ନୁହେଁ, ଯେଉଁ ଓଡ଼ିଆ ସାମ୍ବାଦିକମାନେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କର ମଧ୍ୟ ଏହି ପୁରସ୍କାରରେ ଭାଗ ରହିଛି । ମୋର ଅଧିକାଂଶ ପୁସ୍ତକର ପ୍ରକାଶକ ବନୋଜ ତ୍ରିପାଠୀ ଓ ସ୍ୱତନ୍ତ୍ର ଭାବେ ପକ୍ଷୀଘର ପ୍ରକାଶନୀ ସଂସ୍ଥାକୁ ମୁଁ ସାଧୁବାଦ ଦେଉଛି ।

ଏହା ସହିତ ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ଶ୍ରୀ ତ୍ରିପାଠୀ କହିଛନ୍ତି, ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ଯେଉଁ ବିରଳ ସମ୍ମାନର ଅଧିକାର ପାଇଛି, ସେଥିପାଇଁ ଜଣେ ପ୍ରକାଶକ ହିସାବରେ ମୁଁ ଅନେକ ଖୁସି। ଏହି ସମ୍ମାନ ମୋତେ ଅନେକ ପ୍ରେରଣା ସାଉଣ୍ଟିବାର ସୁଯୋଗ ଯୋଗାଇବ। ଏହି ପୁରସ୍କାର ଆଗାମୀ ଦିନରେ ଓଡ଼ିଶାର ପ୍ରକାଶକମାନଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରିବା ସହିତ ନୂଆ ନୂଆ ଚିନ୍ତାଧାରାର ପୁସ୍ତକ ପ୍ରକାଶ କରିବାକୁ ଉତ୍ସାହର ସୁଯୋଗ ସୃଷ୍ଟି କରିବ ‌ବୋଲି ଶ୍ରୀ ଦାସ କହିଥିଲେ।

ସେହିପରି ସେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ କଳାକାରମାନଙ୍କ ପାଇଁ ଯେଉଁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି I ଏହାଦ୍ୱାରା ଭବିଷ୍ୟତରେ ଏଭଳି ଆହୁରି ପୁରସ୍କାର ଓ ସମ୍ମାନ ଓଡ଼ିଶା ପାଇପାରିବ ବୋଲି ମୋର ଆଶା । ତେବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରକାଶକମାନଙ୍କ ପାଇଁ ସ୍ୱତନ୍ତ୍ର ସାହାଯ୍ୟ ସୃଷ୍ଟି କରିବାକୁ ଏହି ସମ୍ମାନ ମିଳିବା ଅବସରରେ ମୁଁ ଅନୁରୋଧ କରୁଛି କାରଣ ଏହି ସମ୍ମାନ ଓଡ଼ିଶାର ପ୍ରକାଶକ ଓ ଚଳଚ୍ଚିତ୍ର ଅଧ୍ୟାୟର ଏକ ଅନନ୍ୟ ମାଇଲଖୁଣ୍ଟି ସ୍ଥାପନ କରିଛି ।

 

 

 

Govt

Comments are closed.