କ୍ରୀଡ଼ା ପ୍ରଶାସନରେ ପୂର୍ବତନ ଖେଳାଳିଙ୍କ ଦବଦବା

ଭୁବନେଶ୍ୱର : କ୍ରୀଡା ପ୍ରଶାସନରେ ଏବେ ପୂର୍ବତନ ଖେଳାଳିଙ୍କ ଦବଦବା ବେଶ ବଢ଼ିଚାଲିଛି । ସେମାନଙ୍କ ମାର୍ଗ ଦର୍ଶନରେ କ୍ରୀଡାକ୍ଷେତ୍ର ଅଧିକରୁ ଅଧିକ ପ୍ରଶାରିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଭାରତୀୟ କ୍ରିକେଟ୍‌ ଭଳି ଭାରତୀୟ ହକି ପରିଚାଳନାର ସର୍ବୋଚ୍ଚ ପଦରେ ଜଣେ ପୂର୍ବତନ ଖେଳାଳିଙ୍କ ପ୍ରବେଶ । ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ବିସିସିଆଇ’ ଏବେ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ୱରେ ଚାଲୁଛି ।

ସେହିଭଳି ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହକି ମଧ୍ୟ ଦିଲୀପଙ୍କ ଭଳି ଜଣେ ମହାନ ପୂର୍ବତନ ଖେଳାଳିଙ୍କ ହାତକୁ ଯାଇଛି । ଏ କ୍ଷେତ୍ରରେ କ୍ରିକେଟ୍‌ ଜଗତର ‘ମହାରାଜା’ ଗାଙ୍ଗୁଲି କିମ୍ବଦନ୍ତୀ ଦିଲୀପଙ୍କ ପାଇଁ ପ୍ରେରଣା ହୋଇପାରନ୍ତି । ଏକଥା ମଧ୍ୟ ଦିଲୀପ କହିସାରିଛନ୍ତି । ସଂଯୋଗବଶତଃ ଉଭୟ ଦିଲୀପ ଓ ଗାଙ୍ଗୁଲି କ୍ରୀଡ଼ା ପରିଚାଳନାରେ ପୂର୍ବତନ ଖେଳାଳିଙ୍କ ବର୍ଦ୍ଧିତ ଭାଗୀଦାରିକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ସମ୍ପ୍ରତି ଦେଶର ତିନିଟି ଲୋକପ୍ରିୟ ଖେଳ ଯଥା କ୍ରିକେଟ୍‌, ଫୁଟବଲ୍‌ ଓ ହକିର ପରିଚାଳନା ଦାୟିତ୍ୱ ପୂର୍ବତନ ଖେଳାଳିମାନେ ହିଁ ହାତକୁ ନେଇଛନ୍ତି । ଫଳରେ ଭାରତୀୟ କ୍ରୀଡ଼ା ଐତିହାସିକ ମୋଡ଼ ନେବବୋଲି ଆଶା କରାଯାଉଛି । ଗାଙ୍ଗୁଲି ଓ ଦିଲୀପଙ୍କ ମଧ୍ୟରେ ଥିବା ଆଉ ଏକ ସଂଯୋଗ ହେଲା ଉଭୟ ୪୦୦ରୁ ଅଧିକ ମ୍ୟାଚ୍ରେ ଭାରତର ପ୍ରତିନିଧିିବ କରିଛନ୍ତି । ଗାଙ୍ଗୁଲି ଭାରତ ପାଇଁ ୪୨୪ (୧୧୩ ଟେଷ୍ଟ୍‌, ୩୧୧ ଦିନିକିଆ) ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲା ବେଳେ ଦିଲୀପ ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ।

ତେବେ ଗାଙ୍ଗୁଲିଙ୍କଠାରୁ ବୟସରେ ପାଖାପାଖି ୫ ବର୍ଷ ସାନ ହୋଇଥିବାରୁ ଦିଲୀପଙ୍କ ପାଖରେ ଭାରତୀୟ କ୍ରୀଡ଼ାରେ ଆହୁରି ଆଗକୁ ଯିବାକୁ ସୁଯୋଗ ରହିଛି । ଦିଲୀପ ଓ ଗାଙ୍ଗୁଲିଙ୍କ ଭଳି ନିକଟରେ ସର୍ବଭାରତୀୟ ଫୁଟବଲ୍‌ ମହାସଂଘର ସଭାପତି କଲ୍ୟାଣ ଚେବେ ମଧ୍ୟ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ ଫୁଟ୍ୱଲ୍‌ ଖେଳାଳି । ୪୫ ବର୍ଷୀୟ ଚେବେ ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରତିନିଧିିବ କରିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ ଫୁଟବଲର ଅନ୍ୟତମ ମହାନ ତାରକା ବାଇଚୁଙ୍ଗ ଭୂତିଆ ବି ଏଆଇଏଫ୍‌ଏଫ୍‌ ନିର୍ବାଚନ ଲଢ଼ିଥିଲେ । ହେଲେ ଚେବେଙ୍କ ଠାରୁ ହାରିଯାଇଥିଲେ । କେବଳ ଗାଙ୍ଗୁଲି କିମ୍ବା ଦିଲୀପ ନୁହନ୍ତି, ଖେଳାଳିରୁ କ୍ରୀଡ଼ା ପ୍ରଶାସକ ଭାବେ ଆଦିଲ ସୁମେରିୱାଲା (ଭାରତୀୟ ଦୌଡ଼କୁଦ ସଂଘର ସଭାପତି), ଅଞ୍ଜୁ ବବି ଜର୍ଜ (କେରଳ ରାଜ୍ୟ କ୍ରୀଡ଼ା ପରିଷଦର ମୁଖ୍ୟ, ଭାରତୀୟ ଦେଡ଼କୁଦ ସଂଘର ବରିଷ୍ଠ ଉପସଭାପତି), ପ୍ରକାଶ ପାଦୁକୋନ (ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ), ସଲଭ ସରାଫ (ଏସୀୟ ସେଲିଂ ମହାସଂଘର ସଭାପତି) ଏବଂ ଭାରତୀୟ ଫୁଟବଲ୍‌ ଦଳର ପୂର୍ବତନ ଅଗ୍ରଭାଗ ଖେଳାଳି ଅଭିଷେକ ଯାଦବ (ଏଆଇଏଫ୍‌ଏଫର ପୂର୍ବତନ ଉପ ସଂପାଦକ) ମଧ୍ୟ କ୍ରୀଡ଼ାବିତରୁ କ୍ରୀଡ଼ା ପ୍ରଶାସକ ଭାବେ ଜାତୀୟ ଓ ରାଜ୍ୟସ୍ତରରେ ନିଜ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

Govt

Comments are closed.