କିବ୍: ଗୁରୁବାର ଦିନ ଖାର୍କିଭ୍ ଅଞ୍ଚଳର ଇଜିୟମ୍ ନଗରୀରେ ସୈନିକମାନଙ୍କୁ ଭେଟି ଫେରିବା ବାଟରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ କାର୍ ଦୁର୍ଘଟଣା ହୋଇଛି । ରାଷ୍ଟ୍ରପତିଙ୍କ ଗାଡ଼ି ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ି ସହିତ ଧକା ହୋଇଛି । ତେବେ ଦୁର୍ଘଟଣାରେ ବିଶେଷ କାହାର କ୍ଷତି ହୋଇନାହିଁ ବୋଲି ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ମୁଖପାତ୍ର ସେର୍ଗେଇ ନିକିଫୋରୋଭ୍ ସୂଚନା ଦେଇଛନ୍ତି ।
ମୁଖପାତ୍ର ସେର୍ଗେଇଙ୍କ ସୂଚନା ଅନୁସାରେ, ୟୁକ୍ରେନୀୟ ରାଜଧାନୀରେ ରାଷ୍ଟ୍ରପତିଙ୍କ ମୋଟର୍କେଡ୍ ସହିତ ଗୋଟାଏ ଯାତ୍ରୀବାହୀ ଯାନ ଧକା ହୋଇଥିଲା । ଜେଲେନ୍ସ୍କିଙ୍କ ଡାକ୍ତରୀ ଟିମ୍ ଆହତ ହୋଇଥିବା ଯାତ୍ରୀବାହୀ ଯାନର ଚାଳକଙ୍କର ପ୍ରାଥମିକ ଉପଚାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିଆଯାଇଥିଲା । ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ସେ ବିଶେଷ ଆହତ ହୋଇ ନ ଥିବା କଥା ଚିକିତ୍ସକମାନେ ପ୍ରକାଶ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ଏବେ ତଦନ୍ତ ଚାଲିଛି ।
ସୂଚନା ଥାଉଯେ, ରୁଷ୍ ସୈନ୍ୟଙ୍କ ଅକ୍ତିଆରରେ ଥିବା କିଛି ଅଞ୍ଚଳକୁ ୟୁକ୍ରେନ୍ ପୁଣି ନିଜ ଅଧିନକୁ ନେଇଛି । ୟୁକ୍ରେନ୍ ଭୀଷଣ ପ୍ରତିଆକ୍ରମଣ କରି ଖାର୍କିଭ୍ ଅଞ୍ଚଳରୁ ରୁଷ୍ ସୈନ୍ୟଙ୍କୁ ତଡ଼ିଛି । ଏହିପରିକି ୟୁକ୍ରେନ୍ ପ୍ରତିଆକ୍ରମଣରେ ରୁଷ୍ ସେନା ପଛ ଘୁଞ୍ଚା ଦେଉଥିବା ସୂଚନା ମିଳିଛି ।

Comments are closed.