କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଝିଅମାନଙ୍କ ପାଇଁ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଛି । ଆଜି ତାଲିବାନ ପ୍ରଶାସନ ପୂର୍ବ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ୬ଷ୍ଠରୁ ତଦୁର୍ଦ୍ଧ୍ୱ ଶ୍ରେଣୀ ଥିବା ବାଳିକା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଛି ।

କିଛି ଦିନ ତଳେ ଏହି ସ୍କୁଲଗୁଡ଼ିକୁ ଆଦିବାସୀ ସଂପ୍ରଦାୟର ବରିଷ୍ଠ ନାଗରିକ ଓ ପ୍ରିନ୍ସିପାଲଙ୍କ ଅନୁରୋଧକ୍ରମେ ଖୋଲା ଯାଇଥିଲା । ହେଲେ ଏବେ ଏଗୁଡ଼ିକୁ ବନ୍ଦ କରାଯାଇଛି । ହେଲେ ବନ୍ଦର କାରଣ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଚଳିତ ମାସରେ ଗାରଡେଜର ୪ଟି ଓ ସାମକାନି ଜିଲ୍ଲାରେ ଥିବା ଗୋଟିଏ ବାଳିକା ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ଏଗୁଡ଼ିକ ତାଲିବାନ ଶିକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଝିଅ ପିଲାଙ୍କୁ ପାଠପାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିଲା ।

ସ୍କୁଲ ବନ୍ଦ ନିଷ୍ପତ୍ତକୁ ମଧ୍ୟ ପିଲାମାନେ ବିରୋଧ କରିଛନ୍ତି । ଆଜି ଛୋଟ ପିଲାମାନେ କାନ୍ଦି କାନ୍ଦି ସ୍କୁଲ ଡ୍ରେସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାରଡେଜର ବିଭିନ୍ନ ରାସ୍ତାରେ ଏପରି ବିକ୍ଷୋଭ ଦେଖିବାକୁ ମିଳିଛି । ଗାରଡେଜରେ ରହୁଥିବା ମହମ୍ମଦ ସିଦ୍ଦିକ ନାମକ ଜଣେ ଯୁବକ କହିଛନ୍ତି, ମୋର ଦୁଇ ଭଉଣୀ ସ୍କୁଲ ଯାଉଥିବାରୁ ମୁଁ ବହୁତ ଖୁସି ଥିଲି । ହେଲେ ଏବେ ତାଲିବାନ ସ୍କୁଲଗୁଡ଼ିକୁ ବନ୍ଦ କରି ଆମକୁ ନିରାଶ କରିଛି ।

କେବଳ ମହମ୍ମଦ ନୁହନ୍ତି, ଅନେକ ଲୋକ ତାଲିବାନ ସରକାରର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

Comments are closed.