କୋରାପୁଟ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ବହିର ତ୍ରୁଟି ସଂଶୋଧନ ହୋଇଛି । ଭୂଗୋଳ ବହିରେ ମାଛକୁଣ୍ଡକୁ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର କୁ ଆନ୍ଧ୍ର ପ୍ରଦେଶରେ ଦର୍ଶାଯାଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଅସନ୍ତୋଷ ଦେଖାଦେଇଥିଲା I ଏହା ସହିତ ବହିର ତ୍ରୁଟି ସଂଶୋଧନ ପାଇଁ ଦାବି କରାଯାଇଥିଲା I ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ତ୍ରୁଟି ସଂଶୋଧନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ଚିଠିରେ ଦର୍ଶାଯାଇଛି ଯେ, ମାଛକୁଣ୍ଡ ଜଳ ବିଦ୍ୟୁତ୍ ଶକ୍ତିକେନ୍ଦ୍ର ଉଭୟ ଓଡ଼ିଶା ଓ ଆନ୍ଧ୍ରର ଏକ ମିଳିତ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପର ଭୌଗୋଳିକ ସ୍ଥିତି ଅନୁସାରେ କେବଳ ଆନ୍ଧ୍ର ପ୍ରଦେଶ ବୋଲି ନକହି ଉଭୟ ଓଡ଼ିଶା ଓ ଆନ୍ଧ୍ର ରାଜ୍ୟରେ ଏହା ଅବସ୍ଥିତ ବୋଲି ଏଣିକି ପଢ଼ାଯିବ । ସେହିପରି ପୂର୍ବରୁ ଓଡ଼ିଶା ତାଲିକାରେ କୋଲାବ୍ ନଥିବା ବେଳେ ବର୍ତ୍ତମାନ କୋଲାବ ନଦୀର ନାଁ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରୁ ମୁଖ୍ୟପୃଷ୍ଠା ଓ ୬୯ ନମ୍ବର ପୃଷ୍ଠାରେ ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ର ପ୍ରଦେଶର ବୋଲି ଦର୍ଶାଯାଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସମଗ୍ର ରାଜ୍ୟରେ ଏହାକୁ ତୀବ୍ର ବିରୋଧ ହୋଇଥିଲା । ତୁରନ୍ତ ତ୍ରୁଟି ସଂଶୋଧନ ପାଇଁ ଦାବି ମଧ୍ୟ ହୋଇଥିଲା । ଏହାକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁତ୍ୱର ସହ ନେଇ ସଙ୍ଗେ ସଙ୍ଗେ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେଇଥିଲା । ପଦକ୍ଷେପ ଅନୁସାରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସଂଶୋଧନ ପାଇଁ ଏକ ଚିଠି ଲେଖି ଅବଗତ କରାଯାଇଥିଲା । ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ବି ଏଥିରେ ସଂଶୋଧନ ହୋଇନଥିଲା। ଫଳରେ ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Comments are closed.