ନୂଆଦିଲ୍ଲୀ : ୨୭ରୁ ଏସିଆ କପ୍ ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହେବାକୁଯାଉଛି । ବିଶ୍ୱକପ୍ ପୂର୍ବରୁ ଏସିଆ ମହାଦେଶର ସବୁଠୁ ବଡ଼ ପ୍ରତିଯୋଗିତା । ତେଣୁ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଟାଇଟଲ ଦାବିଦାର ଦଳ ଭାରତ ଏସିଆ କପ୍ରେ ଦମ୍ ଦେଖାଇବାକୁ ପ୍ରସ୍ତୁତ ଅଛି ।
ୟୁଏଇରେ ଖେଳାଯିବାକୁଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହେବେ । ୨୮ ତାରିଖରେ ଏକ ହାଇଭୋଲଟେଜ୍ ମ୍ୟାଚ ହେବ । ଭାରତ ଓ ତା’ର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତେଣୁ ଦୀର୍ଘ ଦିନ ପରେ ଭାରତ-ପାକିସ୍ତାନ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି ।
କାରଣ ଆଣ୍ଠୁରେ ଆଘାତ ପାଇଁ ଦ୍ରୁତ ବୋଲର ସାହିନ ଆଫ୍ରିଦି ଏସିଆ କପ୍ ଖେଳିବେ ନାହିଁ । ଅପରପକ୍ଷରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡ଼ିଛନ୍ତି । ସୋସିଆଲ ମିଡ଼ିଆରେ ଏସିଆ କପ୍ ମୁକାବିଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବହୁ ପୂର୍ବତନ କ୍ରିକେଟ୍ର ନିଜ ନିଜର ମତ ରଖିଛନ୍ତି । ପାକିସ୍ତାନ କ୍ରିକେଟ୍ର ୱାକର ୟୁନିସ୍ କହିଛନ୍ତି ଭାରତୀୟ ଟପ୍ ଅର୍ଡରଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତି । ଏସିଆ କପ୍ର ପ୍ରମୁଖ ଦାବିଦାର ହେଉଛି ଭାରତ ।
ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଭାରତୀୟ ବ୍ୟାଟରଙ୍କୁ ସାହିନ ଆଫ୍ରିଦ ଅଡୁଆରେ ପକାଇଥାନ୍ତି । ବିଶେଷକରି ପ୍ରାରମ୍ଭିକ ବ୍ୟାଟରଙ୍କ ପାଇଁ ସାହିନ ଆଫ୍ରିଦି ଭାରି ପଡ଼ିଥାନ୍ତେ । ତାଙ୍କ ଅନୁପସ୍ଥିତିରେ ଭାରତ ଫାଇଦାରେ ରହିବ । ଏହି ଏସିଆ କପ୍ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ୧୩ଟି ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି କାରଣରୁ ଏସିଆ କପ୍ ଟି-୨୦ ପ୍ରତିଯୋଗିତା ୟୁଏଇକୁ ସ୍ଥାନାନ୍ତର ହୋଇଥିଲା । ତେବେ ପୂର୍ବଭଳି ଏହି ପ୍ରତିଯୋଗିତାର ଆୟୋଜକ ଶ୍ରୀଲଙ୍କା ରହିବ ।
Comments are closed.