ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ୨-୧ରେ ଶୃଙ୍ଖଳା ଜିତିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ କରିଥିଲା । ଜବାବରେ ଭାରତ ୪୨.୧ ଓଭରରେ ୨୬୧/୫ ରନ କରି ୫ ୱିକେଟ୍ରେ ବିଜୟୀ ହୋଇଥିଲା । ୧୨୫ ରନ୍ର ମ୍ୟାଚ୍ ବିଜୟ ଇନିଂସ ପାଇଁ ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା ।
ମାଞ୍ଚେଷ୍ଟରର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେଣୁ ଜନୀ ବେୟାରଷ୍ଟୋଙ୍କ ସହ ଜାସନ ରୟ ପାଳି ଆରମ୍ଭ କରିବାକୁ ପଡିଆକୁ ଆସିଥିଲେ । ଦଳୀୟ ସ୍କୋର ୧୨ ରନ୍ ବେଳେ ଜନୀ ବେୟାରଷ୍ଟୋ ଓ ଜୋ ରୁଟ୍ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଇଂଲଣ୍ଡ ଶିବିରରେ ହଇଚଇ ସୃଷ୍ଟି କରିଥିଲେ । ଏହାପରେ ଜାସନ ରୟ ଓ ବେନ୍ ଷ୍ଟୋକ୍ସ ତୃତୀୟ ୱିକେଟ୍ ପାଇଁ ୫୪ ରନ୍ ସଂଗ୍ରହ କରି ସ୍ଥିତି ସୁଧାରି ଥିଲେ । ରୟ ୩୧ ବଲ୍ରୁ ୭ଟି ଚୌକା ସହାୟତାରେ ୪୧ ରନ୍ କରିଥିଲେ । ଷ୍ଟୋକ୍ସ ୨୯ ବଲ୍ରୁ ୨୭ ରନ୍ କରି ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ଓ ଅଧିନାୟକ ଜୋଶ ବଟ୍ଟଲରଙ୍କ ପାଇଁ ସ୍ଥିତି ସମ୍ଭାଳିବା ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ।
କାରଣ ଭଲ ଲୟରେ ଥିବା ପାଣ୍ଡ୍ୟାଙ୍କ ବଲ୍କୁ ଦୃଢ଼ ଜବାବ ଦେବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମ୍ଭବ ହେଉନଥିଲା । ପ୍ରତିକୂଳ ପରିବେଶ ସତ୍ତେ୍ୱ ବଟ୍ଟଲର ଧର୍ଯ୍ୟ ଶକ୍ତିର ପରିଚୟ ଦେଇଥିଲେ । ସେ ୮୦ ବଲ୍ରୁ ୩ଟି ଚୌକା ଓ ୨ଟି ଛକା ସହାୟତା ଗୁରୁତ୍ୱପୂର୍ଣ୍ଣ ୬୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲ୍ଲୀ ୩୪, ଲିଆମ୍ ଲିଭିଂ ଷ୍ଟୋନ୍ ୨୭, ଡେଭିଡ ୱିଲି ୧୮ ଓ କ୍ରେଗ ଓଭରଟନ୍ ୩୨ ରନ୍ କରିଥିଲେ । ତେଣୁ ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଭାରତର ହାର୍ଦ୍ଧିକ ପାଣ୍ଡ୍ୟା ୭ ଓଭରରେ ୩ ମେଡ଼େନ୍ ସହ ୨୪ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ । ୟୁଜଭେନ୍ଦ୍ର ଚହଲ ୯.୫ ଓଭରରେ ବୋଲିଂ କରି ୩ ୱିକେଟ୍ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ ଦୁଇଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।
୨୬୦ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ । ପୁଣିଥରେ ଆଗଧାଡିର ବ୍ୟାଟ୍ସମ୍ୟାନ୍ଙ୍କ ବେପରୁଆ ପ୍ରଦର୍ଶନ ଦଳ ପାଇଁ ସଙ୍କଟ ସୃଷ୍ଟି କରିଥିଲା । ରୋହିତ ୧୭ ବଲ୍ରୁ ୧୭ ରନ୍, ଶିଖର ଧାୱନ ୩ ବଲ୍ରୁ ୧ ରନ୍ ଓ ବିରାଟ କୋହଲି ୨୨ ବଲ୍ରୁ ୧୭ ରନ୍ କରି ଟପଲେଙ୍କ ଶିକାର ହେବାରୁ ଭାରତ ୩୮ ରନ୍ରେ ୩ ୱିକେଟ୍ ହରାଇ ବ୍ୟାକ୍ଫୁଟକୁ ଚାଲିଯାଇଥିଲା । ନେଟନ୍ସରେ ବ୍ୟାଟିଂ ଅଭ୍ୟାସ ଭଳି ରୋହିତ, ଶିଖର ଓ କୋହଲି ୱିକେଟ୍ ଫିଙ୍ଗି ପାଭିଲିୟନ୍ ଫେରିଥିଲେ । ତେଣୁ ନିଶ୍ଚିତ ବିଜୟ ମ୍ୟାଚ୍ରେ ଭାରତ ଆରମ୍ଭରୁ ଚାପକୁ ଚାଲିଯାଇଥିଲା ।
ଏହି କ୍ରମରେ ଭଲ ଲୟରେ ଥିବା ସୂର୍ଯ୍ୟକୁମାର ଦ୍ରୁତ ରନ୍ ସଂଗ୍ରହ ପ୍ରୟାସରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୨୮ ବଲ୍ରୁ ୧୬ ରନ୍ କରି ପାଭିଲିୟନ୍ ଫେରିବାରୁ ଭାରତ ୭୨ ରନ୍ରେ ୪ ୱିକେଟ୍ ହରାଇଥିଲା । ୱିକେଟ କିପର ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । ଏହି ଯୋଡି ଦଳୀୟ ସ୍କୋରକୁ ୨୦୫ ରନ୍ ପର୍ଯ୍ୟନ୍ତ ପହଞ୍ଚାଇବାରୁ ଭାରତ ବିଜୟର ନିକଟତର ହୋଇଥିଲା । ପନ୍ତ ଓ ପାଣ୍ଡ୍ୟାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଯୋଗୁଁ ଭାରତ ୪୭ଟି ବଲ୍ ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ପାଣ୍ଡ୍ୟା ୫୫ ବଲ୍ରୁ ୭୧ ରନ୍ କରିଥିବା ବେଳେ ପନ୍ତ ୧୧୩ ବଲ୍ରୁ ଅପରାଜିତ ୧୨୫ ରନ କରି ବିଜୟ ମୁଣ୍ଡି ମାରିଥିଲେ । ଇଂଲଣ୍ଡର ରେସି ଟପ୍ଲେ ସର୍ବାଧିକ ୩ଟି, ବ୍ରେଣ୍ଡନ କାର୍ସି ଓ କ୍ରେଗ ଓଭରଟନ୍ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।
Comments are closed.