କିଭ୍: ଏପ୍ରିଲ ୨୯: ଋଷ୍ ସେନାଙ୍କୁ ରାଜଧାନୀ କିଭ୍ଠାରୁ ଦୂରେଇ ରଖିବା ପାଇଁ ୟୁକ୍ରେନ୍ ଗ୍ରାମବାସୀମାନେ ବନ୍ୟା କରି ପଥ ବନ୍ଦ କରିଦେଇଥିବା ସୂଚନା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି । ସୂଚନା ମୁତାବକ, କିଭ୍ର ଉତ୍ତର ପ୍ରାନ୍ତରେ ଥିବା ଦେମିଦିଭ୍ ଗ୍ରାମରବାସୀମାନେ ଗତ ମର୍ଚ୍ଚ ମାସରେ ବନ୍ୟା ସୃଷ୍ଟି କରାଇ ଋଷ୍ ସେନାଙ୍କ ଆକ୍ରମଣ ଯୋଜନା ଭଣ୍ଡୁର କରିଥିଲେ ।
ଗ୍ରାମବାସୀମାନେ ପୂର୍ବ ପାର୍ଶ୍ୱରେ ପ୍ରବାହିତ ‘ଦିନିପ୍ରୋ ନଦୀ’ର ନାଳ କାଟି ପାଣି ପ୍ରବାହ କରାଇ ସେ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଥିଲେ । ଫଳରେ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିଲା । ହେଲେ ରାଜଧାନୀକୁ ସୁରକ୍ଷିତ ରଖିଥିବାରୁ ଗ୍ରାମବାସୀ ଖୁସି ଓ ଗର୍ବିତ ଥିବା ପ୍ରକାଶ କରିଛନ୍ତି ।
ସ୍ଥାନୀୟ ରିପୋର୍ଟ ଅନୁସାରେ, ବନ୍ୟା ପାଣି ଗ୍ରାମରେ ପସି ରାସ୍ତାଘାଟ ବୁଡ଼ି ଯିବା ସହିତ ବହୁ ଘର ମଧ୍ୟରେ ପସିଯାଇଛି । ଫଳରେ ଋଷ୍ ସେନାମାନେ ଯୁଦ୍ଧଯାନ ସହିତ ଗ୍ରାମ ଭିତରକୁ ପ୍ରବେଶ କରିପାରି ନଥିଲେ । ଯିବାବାଟରେ ପ୍ରଶସ୍ତ ଏବଂ ଅଗଭୀର ଜଳାଶୟ ସୃଷ୍ଟି ହୋଇଥିବା ଯୋଗୁଁ ସେମାନେ ବାଟ ଚିହ୍ନିପାରି ନଥିଲେ । ଫଳରେ ସେମାନେ ଆଉ କିଭ୍ ଅଭିମୁଖେ ଅଗ୍ରସର ହୋଇନପାରି ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି । ଏଥିସହ ହଷ୍ଟୋମେଲ୍, ବୁଚା ଏବଂ ଇର୍ପିନ୍ ନଗରୀ ଋଷ୍ ସେନାର ଆକ୍ରମଣରୁ ରକ୍ଷା ପାଇଛି ।

Comments are closed.