ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଭାବେ ବିଜୁ ପଟ୍ଟନାୟକ ପରିଚିତ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକେଫାବର ୨ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ ।
ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ଆଜିର ଦିନରେ ସେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।
ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାରେୱଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚ୍ମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା, ସେହି ସବୁ ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ‘ଡାକୋଟା ବିମାନ’ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଟିତ ଏୟାର ଶୋରେ ପ୍ରଦର୍ଶିତ ହୋଇଥିଲା ।
ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ୍ । ନେହରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମକରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ । ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭ କରି ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକେଫାବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ ।
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା’ ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରିକାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ । ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ ।

Comments are closed.