ବନାରସ: କରୋନା ସମୟରେ ସାମାଜିକ ଦୂରତାର ଗୁରୁତ୍ୱ ବଢିଯାଇଛି । କେହି କାହାକୁ ଛୁଇଁବା ପୂର୍ବରୁ ଟିକେ ଭାବୁଛନ୍ତି । ତେବେ ଏହି ସମୟରେ ବନାରସର ରାସ୍ତାରେ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଥିଲା । ଯିଏ ନିଜର କାର୍ଯ୍ୟପାଇଁ ଲୋକଙ୍କ ଦୃଷ୍ଟିରେ ଆସିଲେ । ତାଙ୍କୁ ରାସ୍ତାରେ ରହୁଥିବା ଗରିବଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଯେଉଁ ସମୟରେ ଲୋକ କରୋନା ଡରରେ ଅଜଣା ଲୋକଙ୍କୁ ଛୁଇଁବାକୁ ଡରୁଥିଲେ ସେହି ସମୟରେ ସେ ଗରିବଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି । ଯାହା ତାଙ୍କୁ ଆଣି ଦେଇଛି ସ୍ୱତନ୍ତ୍ର ପରିଚୟ ।
ଯେଉଁଠି ଯାହାର ଦେହ ଖରାପ, କାହାର ରକ୍ତ ଦରକାର, ବୁଢା ଲୋକ ଆଦିଙ୍କର ସେ ଦାୟିତ୍ୱ ନେଉଛନ୍ତି । ସେମାନଙ୍କୁ ଔଷଧ, ଖାଦ୍ୟଠାରୁ ଆରମ୍ଭ କରି ସବୁ ଦରକାରୀ ସାମଗ୍ରୀ ଏହି ଯୁବକ ଜଣଙ୍କ ଯୋଗାଉଛନ୍ତି । ଯୁବକଙ୍କର ନାମ-ଅମନ ଯାଦବ । ହେଲେ ତାଙ୍କର ଏହି ମହାନ କାମ ପାଇଁ ତାଙ୍କ ନାମକୁ ବଦଳାଇ ସ୍ଥାନୀୟ ଲୋକ ଅମନ କବିର ରଖିଛନ୍ତି । ପିଲାଦିନୁ ଅମନଙ୍କର ପରୋପକାର ଅଭ୍ୟାସ ରହିଛି । ସେ ନିଜ ବାଇକ୍କୁ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବାରେ ଲଗାଇଛନ୍ତି । ତେବେ ତାଙ୍କୁ ଏହି ବାଇକ୍ ଜଣେ ଲୋକ ତାଙ୍କ କାମରେ ଖୁସି ହୋଇ ଦେଇଥିଲେ, ହେଲେ ସେ ଏହାକୁ ମଧ୍ୟ ଆମ୍ବୁଲାନ୍ସରେ ପରିବର୍ତ୍ତନ କରିଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ ଆଶା ରଖିଛନ୍ତି । ସେ ନିଜ ଆମ୍ବୁଲାନ୍ସ ବାଇକ୍ରେ ପ୍ରାଥମିକ ଚିକିତ୍ସା ପାଇଁ ଦରକାର ହେଉଥିବା ସମଗ୍ର ଜିନିଷ ରଖୁଛନ୍ତି । ପ୍ରଥମେ ସେ ରୋଗୀଙ୍କୁ ଆଶୁ ଚିକିତ୍ସା ଦିଅନ୍ତି ତା’ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ଦେଖି ପୋଲିସ ମଧ୍ୟ ତାଙ୍କୁ ଏକ ପାସ୍ ପ୍ରଦାନ କରିଛି, ଯାହାଫଳରେ ତାଙ୍କୁ କୌଣସି ବି ସ୍ଥାନକୁ ଯିବାରେ କୌଣସି ଅସୁବିଧା ହେଉନାହିଁ ।.

Comments are closed.