ମୁମ୍ବାଇଁ: ସେପ୍ଟେମ୍ବର ୨୭: ଷ୍ଟଣ୍ଟ୍ ବେସï ରିୟାଲିଟି ଶୋ ‘ଖତରୋଁ କେ ଖିଲାଡୀ’ର ଚଳିତ ସଂସ୍କରଣ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଛି । ଗତ କିଛି ସପ୍ତାହ ଥ୍ରୀଲର ଓ ଆକ୍ସନରେ ଭରପୂର ଥିଲା ଏହି ଶୋ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ନିଜ ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ । ହେଲେ ଫାଇନାଲରେ ପହଞ୍ଚିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟେଲିଭିଜନ ଅଭିନେତା ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି । ସମଗ୍ର ସିଜିନରେ ଅର୍ଜୁନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଥିଲା । ପୁରସ୍କାର ବାବଦକୁ ତାଙ୍କୁ ଏକ ଟ୍ରଫି ସହ ୨୦ ଲକ୍ଷ ନଗଦ ଟଙ୍କା ଏବଂ ବ୍ରାଣ୍ଡ୍ ନୁ୍ୟ କାର୍ ପ୍ରଦାନ କରାଯାଇଛି । ଶୋ ଜିତିବା ପରେ ଅର୍ଜୁନ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଅର୍ଜୁନଙ୍କ ପ୍ରଶଂସା ନିଜେ ଶୋର ହୋଷ୍ଟ ରୋହିତ ସେଟ୍ଟି ମଧ୍ୟ କରିଥିଲେ । ରୋହିତଙ୍କ କହିବା ଅନୁଯାୟୀ, ଅର୍ଜୁନ ସର୍ବଦା ନିଜ କାର୍ଯ୍ୟକୁ ଶାନ୍ତିର ସହ ସମ୍ପନ୍ନ କରିଥାନ୍ତି । ଏହି ସିଜିନ୍ ୧୧ରେ ଦିବ୍ୟାଙ୍କା ତ୍ରିପାଠୀ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ବିଶାଲ ଆଦିତ୍ୟ ତୃତୀୟ ସ୍ଥାନରେ ରହିଛନ୍ତି । ପରଦାରେ ବୋହୂ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଦିବ୍ୟାଙ୍କା ପ୍ରତିଟି ଷ୍ଟଣ୍ଟ୍କୁ ଭଲ ଭାବେ ପ୍ରଦର୍ଶିତ କରିଥିଲେ । ସେ ଯଦିଓ ବିଜୟୀ ହେବାରେ ସଫଳ ହୋଇନାହାନ୍ତି କିନ୍ତୁ ପ୍ରତି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଟ୍ରଫି ପାଇଁ ଫାଇନାଲରେ ଅର୍ଜୁନ ଏବଂ ଦିବ୍ୟାଙ୍କାଙ୍କ ବ୍ୟତୀତ ରାହୁଲ ବୈଦ୍ଧ, ବିଶାଲ ଆଦିତ୍ୟ ସିଂହ ଏବଂ ଶେ୍ୱତା ତିୱାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ହେଲେ ଦିବ୍ୟାଙ୍କାଠାରୁ ମାତ୍ର ୨୦ ସେକେଣ୍ଡ ଆଗୁଆ ଥିବା ଅର୍ଜୁନ ଶେଷ ମୁହୂର୍ତ୍ତରେ ଚଳିତ ସିଜିନକୁ ନିଜ ନାଁରେ କରିପାରିଥିଲେ ।

Comments are closed.