ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ

କଠିନ ପରିଶ୍ରମ ହିଁ ସଫଳତା ଆଣିଦିଏ’

0

ଝାରସୁଗୁଡ଼ା,ସେପ୍‌ଟେମ୍ବର ୨୭: ପୌରାଞ୍ଚଳର ସରବାହାଲ ଠାରେ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନ ଏବଂ ଭାଇ ଆଶିଷ ରଞ୍ଜନ ପ୍ରଧାନଙ୍କ ସହ ରହୁଥିବା ଡାକ୍ତର ରୀନା ପ୍ରଧାନ ଗତ ୨୦୧୯ ମସିହାରୁ ଆଦିବାସୀ ଅଧ୍ୟୁଷିତ ନବରଂଗପୁର ଜିଲ୍ଲା ମାନମସି ଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ । ତାଙ୍କର ପ୍ରାଥମିକ ଶିକ୍ଷା ଝାରସୁଗୁଡ଼ା ସରବାହାଲ ୟୁଜିଏମଇ ସ୍କୁଲ ଏବଂ ହାଇସ୍କୁଲ ଶିକ୍ଷା ଝାରସୁଗୁଡ଼ା ସରକାରୀ ହାଇସ୍କୁଲରେ ସମାପନ ପରେ ଝାରସୁଗୁଡ଼ା ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଉତୀର୍ଣ୍ଣ ହୋଇଥିଲେ । ଭିମସାର ବୁର୍ଲାରେ ଏମବିବିଏସ୍‌ ଶିକ୍ଷା ଲାଭ କରି ସେ ଗତ ୨୦୧୯ ମସିହାରେ ଡାକ୍ତରୀ ସେବାରେ ଯୋଗ ଦିଅନ୍ତି । ତୃତୀୟ ଥର ଲାଗି ପ୍ରୟାସ କରି ୨୦୨୦ ସିଭିଲ ସର୍ଭିସ ପରୀକ୍ଷାରେ ୧୯୪ ର୍ୟାଙ୍କରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ଡ଼, ରୀତା । ପିତା ଧରଣୀଧର ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକରେ ଅତିରିକ୍ତ ବିଡିଓ ଭାବେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଛନ୍ତି । ଝିଅର ସଫଳତାକୁ ନେଇ ସେ ବେଶ ଖୁସି ଜାହିର କରିବା ସହ ଚେଷ୍ଟା ଏବଂ ପରିଶ୍ରମ କଲେ କୌଣସି କ୍ଷେତ୍ରରେ ସଫଳତା ଲାଭ କରିବା ଅସମ୍ଭବ ନୁହେଁ ବୋଲି କହନ୍ତି ।
ସେ ଝିଅଙ୍କୁ ଆରମ୍ଭରୁ ସିଭିଲ ସାର୍ଭିସ ପରୀକ୍ଷାରେ ଭାଗ ନେବାକୁ ପ୍ରୋସିାହିତ କରି ଆସିଥିଲେ ବୁର୍ଲା ଭିମସାରରେ ଏମସିବିଏସ୍‌ରେ ଉତୀର୍ଣ୍ଣ ହେବା ପରେ ୨୦୧୮ରେ ୬ ମାସ ଲାଗି ଦିଲ୍ଲୀରେ ରହି କିଛି ପ୍ରସ୍ତୁତି କରିବା ସହ ଗାଇଡେନ୍ସ ନେଇଥିଲେ । ଏଭଳି ସଫଳତାର ଶ୍ରେୟ ଭଗବାନ ଆଶୀର୍ବାଦ, ମାତାପିତାଙ୍କ ପ୍ରୋସିାହନ ଓ ଆଶୀର୍ବାଦ ଏବଂ ଭାଇ ଓ ସାଂଗସାଥୀଙ୍କ ସହଯୋଗକୁ ଦିଅନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଅନେକ ଚ୍ୟାଲେଞ୍ଜ ରହିଛି । ସେ ଆଗକୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ମୌଳିକ ସେବା କ୍ଷେତ୍ରରେ ସମାଜର ଗରିବ ଲୋକଙ୍କୁ କିଭଳି ଭଲ ସେବା ଦେଇ ପାରିବେ ସେ ଦିଗରେ ଅଧିକ ଫୋକସ କରିବେ ବୋଲି କହିଛନ୍ତି । ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ବିକାଶ ମଡେଲର ପ୍ରଶଂସା କରି ସରକାରୀ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଡାକ୍ତରଖାନାକୁ ସେଭଳି ମାନର କରାଯିବା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି । ନାରୀ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ସେ ଓଡ଼ିଶା କ୍ୟାଡର ହୋଇଥିବାରୁ ଆଗକୁ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଗରିବ ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ଅଧିକ ପ୍ରାଧାନ୍ୟ ଦେବେ । ଜଣେ ଆଇଏଏସ୍‌ ହେବା ଲାଗି ଯେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢିଥିବା ଜରୁରୀ ନୁହେଁ ବରଂ ଓଡ଼ିଆ ମାଧ୍ୟମର ହୋଇବି ଇଂରାଜୀ ଭାଷା ଉପରେ ଅଧିକ ଅଧ୍ୟୟନ ରଖି ପ୍ରସ୍ତୁତି କଲେ ସଫଳତା ପାଇବା ନିଶ୍ଚିତ । ଯାହାକି ତାଙ୍କ ଜୀବନରେ ଘଟିଛି । ମହାମାରୀ ଭଳି କରୋନା ସଂକଟ କାଳରେ ଚାକିରୀରେ ଥାଇ ଆଇଏଏସ୍‌ ଲାଗି ପ୍ରସ୍ତୁତି ଏକ ଆହ୍ୱାନ ଥିଲେ ମଧ୍ୟ ସେ ସଫଳତା ଅର୍ଜନ କରିଥିବାରୁ ଖୁସି ଜାହିର କରିଛନ୍ତି । ଜୀବନରେ ଏମବିବିଏସ୍‌ରେ ମାଗଣା ସିଟ୍‌ ପାଇବାକୁ ଯୋଗ୍ୟତା ସମୟରେ ସବୁଠାରୁ ବେଶି ଖୁସି ଲାଗିଥିଲା । ତାପରେ ଆଜି ହିଁ ସେଭଳି ଏକ ଖୁସିର ମୁହୁର୍ତ ତାଙ୍କ ଜୀବନରେ ଆସିଛି ବୋଲି କହନ୍ତି ଡାକ୍ତର ରୀନା ପ୍ରଧାନ । ଝାରସୁଗୁଡ଼ା ମାଟି ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଥିବା ଡାକ୍ତର ରୀନାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଡ଼ା. ରୀତା ପ୍ରଧାନଙ୍କୁ ରବିବାର ତାଙ୍କ ସରବାହାଲ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲାପାଳ ସରୋଜ କୁମାର ସାମଲ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.