ଆଜିଠୁ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା,ରାଜ୍ୟରେ ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ସରିଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରର ସିଲ୍ ଖୋଲା ଯିବ। ରାଜ୍ୟରେ ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଚାଲିବ । ଆଜି ପ୍ରଥମ ଦିନରେ ଇଂରାଜୀ ବିଷୟ ପରୀକ୍ଷା ଚାଲିଛି

ସେହିପରି ଅନ୍ୟ ଦିନ ମାନଙ୍କରେ ୯ଟା ୧୫ ମିନିଟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ ୯ଟା ୩୦ରେ ଓଏମଆର ଉତ୍ତର ସିଟ୍ ପ୍ରଦାନ କରାଯିବ। ୯ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟାଯିବ।କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବାବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ। ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ।

ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ଚଳିତଥର ସମେଟିଭ -ଓ୍ୱାନ୍‌ ଓ ସମେଟିଭ -ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ।

Comments are closed.