ପ୍ରାୟ ଲୋକଙ୍କ ବଗିଚାରେ ଲେମ୍ବୁ ଗଛ ଥାଏ । କିନ୍ତୁ ଏଠି ଆମେ ଆପଣଙ୍କୁ ଏପରି ଏକ ଲେମ୍ବୁ ଗଛ କଥା କହିବାକୁ ଯାଉଛୁ ଯାହା ଦେଖି ଆପଣ ନିଜ ଆଖିକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଇନ୍ଦୋରରେ ଏବେ ଏହି ଲେମ୍ବୁ ଗଛ ଚର୍ଚ୍ଚାର କାରଣ ପାଲଟିଛି । ଏହି ଲେମ୍ବୁ ଗଛ ଏହାର ଉଚ୍ଚତା ଓ ଏଥିରେ ଫଳିଥିବା ଲେମ୍ବୁ ପାଇଁ ଚର୍ଚ୍ଚାର କାରଣ ପାଲଟିଛି । ଇନ୍ଦୋରର ବୀଣା ନଗରରେ ଏହି ସ୍ୱତନ୍ତ୍ର ଧରଣର ଲେମ୍ବୁ ଗଛକୁ ଦେଖିବାକୁ ଲୋକମାନେ ଦୂର ଦୂରାନ୍ତରୁ ଏଠାରେ ପହଞ୍ଚୁଛନ୍ତି ।
ସାଧାରଣତଃ ଏକ ଲେମ୍ବୁର ଆକାର ୨ରୁ ୩ ଇଞ୍ଚ ମଧ୍ୟରେ ହୋଇଥାଏ । କିନ୍ତୁ ଏଠି ଫଳିଥିବା ଲେମ୍ବୁର ଆକାର ଏକ ଫୁଟବଲ୍ ଠାରୁ ବି ବଡ । ଏହିସବୁ ଲେମ୍ବୁର ଓଜନ ୩ରୁ ୫ କିଲୋ ମଧ୍ୟରେ ରହିଛି । ଅନ୍ୟପକ୍ଷରେ ଲେମ୍ବୁ ଗଛର ଉଚ୍ଚତା ୮ରୁ ୧୨ ଫୁଟ ହୋଇଥାଏ କିନ୍ତୁ ଏହି ବିଶେଷ ପ୍ରକାରର ଲେମ୍ବୁ ଗଛର ଉଚ୍ଚତା ୨୫ ଫୁଟରୁ ଅଧିକ । ଏବେ ସୋସିଆଲ୍ ମିଡିଆରେ ଏହି ଲେମ୍ବୁ ଗଛ ବେଶ୍ ଚର୍ଚ୍ଚାରେ ରହିଛି । ଏହି ବୃହତ୍ତ ଲେମ୍ବୁ ଗଛର ମାଲିକ ସଞ୍ଜୁ ଶର୍ମା କହିଛନ୍ତି ୨୦ ବର୍ଷ ତଳେ ତାଙ୍କ ଦାଦି ଶାଶୂ ବିହାରରୁ ଏହି ସ୍ୱତନ୍ତ୍ର ଲେମ୍ବୁ ମଞ୍ଜି ଆଣିକରି ଆସିଥିଲେ । ଏହି ଲେମ୍ବୁକୁ ବିହାରରେ ଗାଗର ଲେମ୍ବୁ କୁହାଯାଏ । ବିହାରରେ ଏହା ବର୍ଷକୁ ଥରେ ଫଳ ଦେଉଥିବା ବେଳେ ଇନ୍ଦୋରରେ ଏହା ବର୍ଷକୁ ଦୁଇଥର ଫଳ ଦେଇଥାଏ । ବିହାର ଓ ଉତ୍ତରପ୍ରଦେଶରେ ଛଟ ପୂଜାରେ ଏହି ଲେମ୍ବୁର ଆବଶ୍ୟକତା ପଡିଥାଏ ।

Comments are closed.