ବୌଦ୍ଧ : ନୁଆଁଖାଇରେ ଅଘଟଣ । ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ଝିଅଙ୍କ ମୃତ୍ୟୁ । ନୂଆଁଖାଇ ସାରି ଘରେ ଆନନ୍ଦରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଏକ ବିଷାକ୍ତ ସାପ କାମୁଡ଼ିଦେବା ଯୋଗୁଁ ୩ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଘଟଣ ଘଟିଛି ବୈଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଚରିଆପାଲି ଗାଁରେ । ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଭଉଣୀମାନଙ୍କର ବୟସ ୧୩,୧୨ ଏବଂ ୩ ବର୍ଷ ।
ସୂଚନା ଅନୁସାରେ, ରବିବାର ନୂଆଁଖାଇ ଥିବାରୁ ଚରିଆପାଲି ଗ୍ରାମର ସାଲେନ୍ଦ୍ର ମଲ୍ଲିକଙ୍କ ଦୁଇ ଝିଅ ହଷ୍ଟେଲରୁ ଘରକୁ ଆସିଥିଲେ । ରାତିରେ ପରିବାର ଖୁସି ଆନନ୍ଦରେ ଏକାଠି ଖିଆ ପିଆ କରିବା ପରେ ଶୋଇବାକୁ ଯାଇଥିଲେ । ସମ୍ପୂର୍ଣ୍ଣ ପରିବାର ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ପରିବାର ସମସ୍ତଙ୍କୁ କାମୁଡି ଦେଇଥିଲା । ଏହାପରେ ସାଲେନ୍ଦ୍ର ଉଠିବା ବେଳକୁ ଝିଅମାନଙ୍କର ହୋସ୍ ନଥିଲା । ପିଲାମାନଙ୍କୁ ପ୍ରଥମେ ଗୁଣିଆ ଡାକି ଝଡ଼ା ଫୁଙ୍କା କରିଥିଲେ ତେବେ ସେଥିରେ କୌଣସି ସୁଫଳ ନମିଳିବାରୁ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ ମାତ୍ର ସେଠାରେ ଡାକ୍ତର ୩ ପିଲାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବାପାଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)। ଏକାସଙ୍ଗେ ୩ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ମାଆ ।

Comments are closed.