ଭୁବନେଶ୍ୱର : ମହିଳା ଥାନା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ । ଅଭିଯୁକ୍ତଙ୍କ ସହ ବ୍ୟବହାର କରୁଥିବା ଇନୋଭା କାର୍କୁ ଜବତ କରାଯାଇଛି । ଗିରଫ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି । ଅଭିଯୁକ୍ତମାନେ ସମସ୍ତେ ସହିଦନଗର ବସ୍ତି ଅଂଚଳର ଡ୍ରାଇଭର । ସେମାନେ ଟ୍ରାଭେଲ୍ସରୁ ଏହି ଗାଡି ଭଡାରେ ଆଣିଥିଲେ । ନୂଆବର୍ଷ ଦିନ ଅତ୍ୟଧିକ ମଦ୍ୟ ପାନ କରି ଏପରି କାଣ୍ଡ ଭିଆଇଥିଲେ ବୋଲି ପୋଲିସ କହିଛି । ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରିବ ବୋଲି ପୋଲିସ କହିଛି ।
ସୂଚନାନୁସାରେ, ଗତ ୨ତାରିଖ ରାତି ସାଢ଼େ ଗୋଟାଏ ବେଳେ ଡ୍ୟୁଟି ସାରି ନିଜ କାରରେ ସରକାରୀ କ୍ୱାଟର୍ସ କୁ ଫେରୁଥିଲେ ଭୁବନେଶ୍ୱର ମହିଳା ଥାନା ଏସଆଇ ଶୁଭଶ୍ରୀ ନାୟକ। ସାଇନ୍ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର ଧକ୍କା ଦେବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତାଙ୍କୁ ପିଛା କରିବା ସହ ଖଣ୍ଡା ବୁଲାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ I ଏହା ଦେଖି ମହିଳା ଅଧିକାରୀ ଜଣକ ଯାଇ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପସି ଯାଇଥିଲେ । ଏହି ଘଟଣା ସମ୍ପର୍କରେ ମହିଳା ଥାନା ଅଧିକାରୀ ଶୁଭଶ୍ରୀ ନାୟକ ସହିଦ ନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କମିଶନରେଟ୍ ପୁଲିସ ପକ୍ଷରୁ ଜୋରଦାର ତଦନ୍ତ କରାଯାଇଥିଲା । ଘଟଣାକୁ ନେଇ ଡିସିପି ପ୍ରତୀକ ସିଂ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସିସିଟିଭି ଯାଞ୍ଚ ସହ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଥିବା କହିଥିଲେ । ଏବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବ୍ୟବହାର କରିଥିବା ଇନୋଭା କାର୍ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Comments are closed.