କାବୁଲ : ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବୁଧବାରଦିନ ଉତ୍ତର ଆଫଗାନିସ୍ତାନର ସମାମଙ୍ଗମ ରାଜ୍ୟରେ ଥିବା ଆଇବାକ୍ ସହରରେ ଥିବା ଏକ ସିହା ମଦ୍ରାସାରେ ଏକ ଆତ୍ମଘାତୀ ବୋମା ବିସ୍ପୋରଣ ହୋଇଛି । ଏହା ଫଳରେ ସେଠାରେ ପଢୁଥିବା ୧୬ ଛାତ୍ର ନିହତ ହୋଇଛନ୍ତି ଓ ୨୪ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ (ମଦ୍ରାସା) ପିଲା ଥିବା ଜଣେ ସ୍ଥାନୀୟ ଡାକ୍ତର ସୂଚନା ଦେଇଛନ୍ତି । ଆଇବାକ୍ ସହରରେ ଥିବା ଜାହାଦିଆ ମଦ୍ରାସାରେ ଅପରାହ@ ପ୍ରାର୍ଥନା ଚାଲିଥିବାବେଳେ ଏହି ବୋମା ବିସ୍ପୋରଣ ହୋଇଥିଲା ।
ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ସମଗ୍ର ସହରରେ ଶୁଣାଯାଇଥିଲା । ତାଲିବାନର ଗୃହ ମନ୍ତ୍ରାଳୟ ମୁଖପାତ୍ର ଅବଦୁଲ ନଫି ଟାକୋର ମଧ୍ୟ ଏହି ବିସ୍ପୋରଣକୁ ସ୍ୱୀକାର କରିଛନ୍ତି । ଏହି ବିସ୍ପୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
ଆଫଗାନିସ୍ତାନର କ୍ଷମତା ଅଧିକାର କରିବା ପରେ ଆନ୍ତରିକ ସୁରକ୍ଷାକୁ ସୁଦୃଢ କରିବାକୁ ତାଲିବାନ ଘୋଷଣା କରିବା ସତ୍ତେ୍ୱ ବୋମା ବିସ୍ପୋରଣ ଏକ ନିୟମିତ ଘଟଣା ହୋଇଗଲାଣି । ବିଶେଷକରି ସଂଖ୍ୟାଲଘୁମାନଙ୍କ ଉପାସନାସ୍ଥଳୀକୁ ଟାର୍ଗେଟ କରାଯାଉଛି । ସେହିପରି ଆଇଏସଆଇଏଲ ପକ୍ଷରୁ ମଧ୍ୟ ନିୟମିତଭାବେ ଆତଙ୍କବାଦୀ ଆକ୍ରମଣ କରାଯାଉଛି । ଗତ ଶୁକ୍ରବାର ଦିନ କାବୁଲର ଏକ ମସଜିଦରେ ବୋମା ବିସ୍ପୋରଣ ହୋଇ ୧୪ ଜଣ ମୃତ୍ୟୁବରଣ କରିଥିଲେ ।

Comments are closed.