ଇଣ୍ଟରନେଟ୍‌ର ଶକ୍ତି

ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟର ଶକ୍ତି ସମସ୍ତକୁ ଆଚମ୍ବିତ କରାଉଛି । ଏହି କାରଣରୁ ଜଣେ ସାଧାରଣ ବ୍ୟକ୍ତି ରାତାରାତି ଷ୍ଟାର୍‌ ହୋଇଯାଉଛି ତ କେଉଁଠି ଅଭାବୀ ଲୋକଟି ଲକ୍ଷ ଲକ୍ଷ ଟଙ୍କାର ସାହାଯ୍ୟ ପାଉଛି । ଦିଲ୍ଲୀର ମାଲବୀୟ ନଗରର ‘ବାବା କା ଢାବା’ ଏହାର ଏକ ଉଦାହରଣ । ଠିକ୍‌ ସେହିପରି କିଛି ଦିନ ତଳେ ଶିକ୍ଷକରୁ ଡେଲିଭରି ବୟ ପାଲଟିଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିର କାହାଣୀ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ବଦଳିଛି ।

ଏହାପରେ କେତେକ ଉଦାର ବ୍ୟକ୍ତି ତାଙ୍କର ଉତ୍ସାହ ଏବଂ ପରିଶ୍ରମକୁ ଦେଖି ୨୪ ଘଣ୍ଟା ମଧ୍ୟରେ ଏକ ମୋଟରସାଇକେଲ ଯୋଗାଇଦେଇଛନ୍ତି । କିଛି ଦିନ ତଳେ ଟ୍ୱିଟର ଗ୍ରାହକ ଆଦିତ୍ୟ ଶର୍ମା ଏହି ଡେଲିଭରି ବୟଙ୍କ କାହାଣୀକୁ ସେୟାର କରିଥିଲେ । ରାଜସ୍ଥାନର ୪୨ ଡିଗ୍ରୀ ତାପମାତ୍ରାରେ ଦୁର୍ଗା ମୀନା ନାମକ ଏହି ୩୧ ବର୍ଷୀୟ ବ୍ୟକ୍ତି ସାଇକେଲରେ ଡେଲିଭରି କରିଥାନ୍ତି । ଲଗାତାର ୪ ମାସରୁ ସେ ଡେଲିଭରି ବୟ ରୂପେ କାମ କରୁଛନ୍ତି ଏବଂ ଏଥିରୁ ସେ ପ୍ରତି ମାସକୁ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ୧୦ ବର୍ଷ ଧରି ଶିକ୍ଷକତା କରିବା ପରେ କରୋନା ମହାମାରୀ ତାଙ୍କ ପାଇଁ ଦାଉ ସାଜିଥିଲା । ବାଣିଜ୍ୟରେ ସ୍ନାତକ ହାସଲ କରିଥିବା ଦୁର୍ଗାଙ୍କ କରୋନାରେ ଚାକିରୀ ପଳାଇଥିଲା ।

ଏହାପରେ ପେଟପାଟଣା ପାଇଁ ଜୋମାଟାରେ କାମ କରିବାକୁ ଆରମ୍ଭ କରିଥିଲେ । ଆର୍ଥିକ ଅଭାବ କାରଣରୁ ଲାପଟପ୍‌ ନଥିବାରୁ ସେ ପିଲାଙ୍କୁ ଅନଲାଇନରେ ପାଠ ପଢାଇପାରୁନାହାନ୍ତି । ତେଣୁ ସେ ଜୋମାଟାରେ କାମ କରି ନିଜ ଗୁଜରାଣ ମେଣ୍ଟାଇବା ସହ ଅର୍ଥ ସଞ୍ଚୟ କରିବାକୁ ଚାହୁଁଛନ୍ତି । ହେଲେ ବାଇକଟିଏ ନଥିବାରୁ ଆଗାମୀ ଶିକ୍ଷା ପାଇଁ ସମୟ ବାହାର କରିପାରୁନାହାନ୍ତି । ତେଣୁ ବାଇକ ଟିଏ ହେଲେ ତାଙ୍କ କାମ ସହଜ ହେବ ବୋଲି ଦୁର୍ଗା ଆଦିତ୍ୟଙ୍କୁ କହିଥିଲେ । ଏହାପରେ ଫଣ୍ଡିଂ ଜରିଆରେ ଆଦିତ୍ୟ ଟଙ୍କା ଜମା କରି ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୁର୍ଗାଙ୍କୁ ଏକ ମୋଟରସାଇକେଲ ପ୍ରଦାନ କରିଛନ୍ତି । ତେବେ ଆଦିତ୍ୟଙ୍କ ଏହି ଟ୍ୱିଟ୍‌ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Comments are closed.