ପାଟନା : ପୁଣି ବିହାରରେ ବିଷାକ୍ତ ମଦ ନେଲା ଜୀବନ I ବିହାରରେ ମଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଛାପ୍ରI ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା I ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସାରଣ ଜିଲାର ଇସୁଆପୁର ଥାନା ଅନ୍ତର୍ଗତ ଡୋଲିଆ ଓ ୟେଦୁମୋର ଗାଁରେ ପ୍ରଥମେ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ବିଷାକ୍ତ ମଦ ପିଇ ପ୍ରଥମେ ୩ ଜଣ ଘରେ ଓ ୨ ଜଣ ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଏମାନେ ସମସ୍ତେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।
ଏହାପୂର୍ବରୁ ମଧ୍ୟ ଏହି ଦୁଇ ଗାଁର ଆଉ କିଛି ଲୋକ ସମାନ ଢଙ୍ଗରେ ପ୍ରାଣ ହରାଇଥିଲେ। ଇତି ମଧ୍ୟରେ ୧୭ ଜଣ ପ୍ରାଣ ହରାଥିବା ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଗାଁରେ ମଦ ପିଇ କେଉଁମାନେ ଅସୁସ୍ଥ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ଅସୁସ୍ଥ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ବିଷାକ୍ତ ମଦ କାରଣରୁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଏଯାଏଁ ମିଳିନାହିଁ।

Comments are closed.