ଭୁବନେଶ୍ୱର : ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରିଛନ୍ତି ବାମପନ୍ଥୀ ସହିତ ୮ ଟି ବିରୋଧୀ ଦଳ । ପୀଡ଼ିତାଙ୍କୁ ନ୍ୟାୟ ତଥା ମହିଳାଙ୍କୁ ସମ୍ମାନ ଦାବିରେ ଗୁରୁବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏଁ ବନ୍ଦ ରହିବ । ଗୁରୁବାର ଯାନବାହନ ଚଳାଚଳ, ଦୋକାନବଜାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି ।
ଅନ୍ୟପଟେ ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ । ଏହାକୁ ନେଇ ପୋଲିସ ସଜାଗ ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ ଟୁଇନ୍ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ଏଆଇ କ୍ୟାମେରା ଓ ଡ୍ରୋନ୍ ନଜର ରଖିଛି । କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୋଲିସ ମୁତୟନ ରହିଛନ୍ତି । ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ରହିଛନ୍ତି । ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଚେତାବନୀ ଦେଇଛନ୍ତି ।

Comments are closed.