ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଏବଂ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଛନ୍ତି। ସେମାନଙ୍କର ଅବତରଣ ବେଳର ଦୃଶ୍ୟ ବିଜ୍ଞାନପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଛି। ଏଥିସହିତ ମହାକାଶଚାରୀ ଦ୍ବୟଙ୍କ ସୁରକ୍ଷିତ ଅବତରଣକୁ ନେଇ ରହିଥିବା କଳ୍ପନାଜଳ୍ପନା ଏବଂ ଆଶଙ୍କାର ଅବସାନ ଘଟିଛି। ଫ୍ଲୋରିଡାରେ ଡ୍ରାଗନ କ୍ୟାପସୁଲଟି ଜଳାବତରଣ କରିବା ପରେ ଜାହାଜରୁ ମହାକାଶଚାରୀମାନଙ୍କୁ ଏକ ହେଲିକପ୍ଟର ଦ୍ବାରା କୂଳକୁ ସ୍ଥଳଭାଗ ଆଡ଼କୁ ନିଆଯାଇଥିଲା। ଏହାପରେ ସେଠାରୁ ସେମାନେ ନାସାର ଗଲ୍ଫଷ୍ଟ୍ରିମ ଜେଟ୍ ଜରିଆରେ ହ୍ୟୁଷ୍ଟନ୍ସ୍ଥିତ ଏଲିଙ୍ଗଟନ୍ ଫିଲ୍ଡକୁ ଯାଇଥିଲେ। ସେଠାରେ ସ୍ଥାନୀୟ ସମୟ ରାତି ୧୧ଟା ୧୯ରେ (ଭାରତୀୟ ସମୟ ବୁଧବାର ସକାଳ ୯ଟା ୪୯)ରେ ପହଞ୍ଚିବା ପରେ ସେମାନଙ୍କୁ ନାସାର ଅନ୍ୟ କ୍ରୁ ସଦସ୍ୟ, ମହାକାଶଚାରୀ, ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ହ୍ୟୁଷ୍ଟନର ଏଲିଙ୍ଗଟନ୍ ଫିଲ୍ଡ ହେଉଛି ନାସା (ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ)ର ବିମାନ ଚଳାଚଳ ଘାଟି। ମହାକାଶରେ ୨୮୬ ଦିନ ବିତାଇଥିବାରୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ପାଇଁ ମହାକାଶଚାରୀ ଦ୍ବୟଙ୍କୁ ୪୫ ଦିନ ଚିକିତ୍ସକମାନଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯିବ। ନାସା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରୁଛି। ସେମାନଙ୍କ ଶରୀରର ଓଜନ ହ୍ରାସ ପାଇବା ସହ ମାଂସପେଶୀ ଦୁର୍ବଳ ହୋଇଯାଇଛି। ଏଥିଯୋଗୁ ସେମାନଙ୍କ ଠାରେ ଦୃଷ୍ଟିଶକ୍ତି ହ୍ରାସ, ମାଂସପେଶୀ ଓ ଅସ୍ଥି ଦୁର୍ବଳ ସହିତ ହୃଦଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ତେଣୁ ସେମାନଙ୍କୁ ପ୍ରଥମେ ନିରୀକ୍ଷଣରେ ରଖାଯିବ।

Comments are closed.