ୟୁଏଇକୁ ହରାଇ ମହିଳା ଏସିଆ କପ୍‌ ସେମିଫାଇନାଲ୍‌ରେ ପ୍ରବେଶ କଲା ଭାରତ

ଦାମ୍ବୁଲା: ୟୁଏଇକୁ ୭୮ ରନ୍‌ରେ ହରାଇମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ଦ୍ବିତୀୟ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭାରତ ହରାଇଥିଲା। ଟସ୍‌ ହାରି ବ୍ୟାଟିଂ କରିଥିବା ଭାରତ ଅଧିନାୟିକା ହର୍ମନପ୍ରୀତ କ‌ୌର (୬୬, ୪୭ ବଲ୍‌, ୭ ଚୌକା, ୧ ଛକା) ଏବଂ ରିଚା ଘୋଷ (୬୪*, ୨୯ ବଲ୍‌, ୧୨ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ଭଲ ଆରମ୍ଭ କରିଥିବା ଭାରତ ୨୩ ରନ୍‌ରେ ସ୍ମୃତି ମନ୍ଧାନା (୧୩)ଙ୍କୁ ହରାଇଥିଲା। ଏହାପରେ ଶେଫାଳି ବର୍ମା (୩୭, ୧୮ ବଲ୍‌, ୫ ଚୌକା, ୧ ଛକା) ଆଉଟ୍‌ ହୋଇଥିଲେ ମଧ୍ୟ ଦଳୀୟ ସ୍କୋର୍‌ ୫ ଓଭରରେ ୫୨ରେ ପହଞ୍ଚି ଯାଇଥିଲା। ଶେଫାଳିଙ୍କ ପରେ ହେମଲତା ଦୟାଲାନ (୨) ଆଉଟ୍‌ ହେବାରୁ ଦଳ ୫୨/୩ରେ ସଂଘର୍ଷ କରିଥିଲା। ଜେମିମା ରଡ୍ରିଗୁଏଜ (୧୪) ଓ ହର୍ମନପ୍ରୀତ ଚତୁର୍ଥ ୱିକେଟ୍‌ରେ ୫୪ ରନ୍‌ର ଭାଗୀଦାରି ଗଢ଼ି ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ହର୍ମନପ୍ରୀତ ଓ ରିଚା ପଞ୍ଚମ ୱିକେଟ୍‌ରେ ୭୫ ରନ୍‌ ଯୋଡ଼ିବାରୁ ଦଳୀୟ ସ୍କୋର୍‌ ୧୮୧ରେ ପହଞ୍ଚିଥିଲା। ଶେ‌ଷ ଓଭରର ଶେଷ ୫ ବଲ୍‌ରେ ରିଚା ୨୦ ରନ୍‌ ଆଦୟ କରିବାରୁ ପ୍ରଥମ ଥର ଲାଗି ଭାରତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୨୦୦ ପାର୍‌ କରିଥିଲା। ଜବାବରେ ୟୁଏଇ ୮ ଓଭର ମଧ୍ୟରେ ମାତ୍ର ୩୬ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟିକା ଈଶା ଓଜା ୩୮ ଓ କାଭିଶା ଓସା ୪୦* ରନ୍‌ ପାଳି ଖେଳିବାରୁ ଦଳ ୭ ୱିକେଟ୍‌ ହରାଇ ୧୨୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୀପ୍ତି ଶର୍ମା ୨ ଏବଂ ରେଣୁକା ସିଂହ, ତନୁଜା କନୱର, ପୂଜା ବସ୍ତ୍ରକାର ଓ ରାଧା ୟାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Govt

Comments are closed.