ବେରୁତ୍: ଲେବାନନ୍ରେ ହଜାର ହଜାର ପେଜର୍ ବିସ୍ଫୋରଣର ଗୋଟିଏ ଦିନ ପରେ ‘ୱାକି-ଟକି’ଗୁଡ଼ିକରେ ସିରିଜ୍ ବିସ୍ଫୋରଣ କରି ଇସ୍ରାଏଲ୍ ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାକୁ ଦୋହଲାଇ ଦେଇଛି। ୱାକି-ଟକି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଦକ୍ଷିଣ ଲେବାନନ୍ରେ କେତେକ ଲ୍ୟାଣ୍ଡ୍ଫୋନ ଓ ଘରୋଇ ସୋଲାର ସିଷ୍ଟମ୍ରେ ମଧ୍ୟ ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ଗତକାଲି ପେଜର୍ ବିସ୍ଫୋରଣରେ ଆହତ ହୋଇଥିବା ୩ ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ ୨ ହଜାର ହେଜବୁଲ୍ଲାର ସକ୍ରିୟ ସଦସ୍ୟ ବୋଲି କେତେକ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ୱାକି-ଟକି ଆକ୍ରମଣ ମଧ୍ୟପ୍ରାଚ୍ୟର ଏକ ବଡ଼ ଯୁଦ୍ଧ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଇଛି ବୋଲି ଅନେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି। ହେଜବୁଲ୍ଲା ତା’ର ସଦସ୍ୟମାନଙ୍କୁ ସମସ୍ତ ବୈଦ୍ୟୁତିକ ଉପକରଣ ବର୍ଜନ କରିବା ପାଇଁ କହିଛି। ସଂଗଠନ ସଦସ୍ୟଙ୍କ ପାଇଁ ରେଡିଓ ଏବଂ ମୋବାଇଲ ବ୍ୟବହାର ନିଷିଦ୍ଧ କରାଯାଇଛି। ଦକ୍ଷିଣ ଲେବାନନ୍ରେ ହେଜବୁଲ୍ଲା ସଂଗଠନକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ଏବେ ଭିନ୍ନ ରଣନୀତିରେ କାମ କରୁଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାର କରି ହେଜବୁଲ୍ଲା ସଦସ୍ୟଙ୍କୁ ଟାର୍ଗେଟ୍ କରାଯାଉଛି । ୫ ମାସ ତଳେ ହେଜବୁଲ୍ଲା ପକ୍ଷରୁ କିଣାଯାଇଥିବା ୱାକି-ଟକିଗୁଡ଼ିକରେ ବିସ୍ଫୋରକ ଚିପ୍ ଖଞ୍ଜାଯାଇଥିବା ଜଣାପଡ଼ିଛି। ମୋସାଦର ଏଭଳି ଅଭିନବ ଆକ୍ରମଣ ଯୋଜନା ବିଶ୍ବରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

Comments are closed.