ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା I କୋଶଲ ସେନା ଏବଂ କୋଶଲ ମୁକ୍ତିମୋର୍ଚ୍ଚା ତରଫରୁ କୋଶଲାଞ୍ଚଳରେ ମହାବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀରରେ ସକାଳୁ ସକାଳୁ ବନ୍ଦ ର ପ୍ରଭାବ ଆରମ୍ଭ ହୋଇଯାଇଛି । ବିଭିନ୍ନ ଛକରେ ପିକେଟିଂ କରିଛନ୍ତି ଆନ୍ଦୋଳନକାରୀ। ପ୍ରଥମେ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରାଯାଇଥିଲା। ଏହାପରେ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିବା ଖବର ମିଳିଛି । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଏହାସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ଅନ୍ୟପକ୍ଷେ, ସମ୍ବଲପୁରରେ ବନ୍ଦକୁ ବିରୋଧ କରାଯାଇଛି। ବନ୍ଦ ଡାକରା ନାମରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟର କୋଶଳିକରଣ କରାଯିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦର ପ୍ରଭାବ ଯେପରି ନ ପଡ଼ିବ ସେଥିପାଇଁ ବିଭିନ୍ନ ସଙ୍ଗଠନ ଏକାଠି ହୋଇଛନ୍ତି। ଆଜି ସକାଳୁ ସମ୍ବଲପୁର ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ବନ୍ଦକୁ ବିରୋଧ କରିଥିଲେ। ରେଳ ଚଳାଚଳ କିପରି ପ୍ରଭାବିତ ନ ହେବ ସେଥିପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଷ୍ଟେସନକୁ ସ୍ୱାଭାବିକ ଭାବେ ଛଡ଼ା ଯାଇଥିଲା।
ସେହିପରି ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କୋଶଲ ସେନା ଓ କୋଶଲ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ସୋନପୁରରେ ବି ବନ୍ଦ ପାଳନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରା ଯାଇଥିବାବେଳେ ବୀରମହାରାଜପୁର,କଣ୍ଟାବାଞ୍ଜି, ନୂଆପଡ଼ା, ବରଗଡ଼ ରେ କୋଶଲ ମହାବନ୍ଦର ପ୍ରଭାବ ଦେଖାଯାଇଛି I

Comments are closed.