ସୋଲାର ପ୍ୟାନେଲକୁ ବ୍ୟବହାର କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାଆନ୍ତି । ଏହାର ଅନେକ ଲାଭ ରହିଛି ହେଲେ ଏହି ଲାଭ ଭିତରେ କ୍ଷତି ମଧ୍ୟ ଲୁଚି ରହିଛି । ଏହି ଉପକରଣକୁ ନିର୍ମାଣ କରିବାରେ ଏଭଳି ଅନେକ ସାମଗ୍ରୀର ବ୍ୟବହାର କରାଯାଇଛି, ଯାହା ପରିବେଶ ପାଇଁ କ୍ଷତିକାରକ ଏବଂ ଏଗୁଡିକୁ ରିସାଇକେଲ କରିବା ମଧ୍ୟ ସହଜ ହୋଇନଥାଏ । ଏଥିରେ ହିଟ୍ ଟ୍ରାନ୍ସଫର ପାଇଁ ବ୍ୟବହାର କରାଯାଇଥିବା ଲିକ୍ୟୁଇଡ୍ ଅନେକ ସମୟରେ ଲିକ୍ ହୋଇଥାଏ, ଯାହା ଆମ ପାଇଁ କ୍ଷତିକାରକ । ଏହି ଲିକ୍ୟୁଇଡ୍ କାରଣରୁ ଅନେକ ରୋଗ ହେବାର ସମ୍ଭାବନା ରହିଛି । ଏହି ତରଳ ଯୋଗୁଁ ପୃଥିବୀର ମାଟିର ଉର୍ବରତା ମଧ୍ୟ ନଷ୍ଟ ହୋଇଥାଏ । ସେହିଭଳି ଏଥିରେ ବ୍ୟବହାର ହେଉଥିବା ସିଲଭର, ଆଲୁମିନିଅମ ଫ୍ରେମ, ଏଥିରେ ବ୍ୟବହାର କରାଯାଇଥିବା ଗ୍ଲାସ, କପର ଆଦିକୁ ରିସାଇକେଲ କରିବା କଷ୍ଟସାଧ୍ୟ ଅଟେ । ଏହା ବ୍ୟବହାର ହେବାର କିଛି ଦିନ ପରେ ଆବର୍ଜନାରେ ପରିଣତ ହୋଇଥାଏ । ତେବେ ଏହାର ରିସାଇକେଲ ପାଇଁ ଫ୍ରାନ୍ସରେ ଥିବା ରିସାଇକେଲ କମ୍ପାନୀ ଆର୍ଓଏସ୍ଆଇ କାମ କରିବା ଜାରି ରଖିଛି । ଏହି କମ୍ପାନୀର ଉଦ୍ଦେଶ୍ୟ ସୋଲାର ପ୍ୟାନେଲରେ ବ୍ୟବହାର ହେଉଥିବା ବିଭିନ୍ନ ଆବର୍ଜନାକୁ ରିସାଇକେଲ କରିବା । ତେବେ ସୋଲାର ପ୍ୟାନେଲରୁ ବାହାରୁ ଥିବା ଆବର୍ଜନାକୁ ରି ସାଇକେଲ କରି ଅନ୍ୟ କାମରେ ବ୍ୟବହାର କରିବାର ସମ୍ଭାବନା ରହିଛି । ହେଲେ ଏଥିରୁ ଆଉଥରେ ସୋଲାର ପ୍ୟାନେଲ ନିର୍ମାଣ କରିବାର କୌଣସି ସମ୍ବାବନା ନାହିଁ ବୋଲି କମ୍ପାନୀ ପ୍ରକାଶ କରିଛି । ଏହି ଆବର୍ଜନାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ଦେଶରେ ଥିବା ପରିବେଶବିତମାନେ ପରାମର୍ଶ ଦେଇଛନ୍ତି । ଫ୍ରାନ୍ସର ଏହି କମ୍ପାନୀ ସୋଲାର ପ୍ୟାନେଲ ଗୁଡିକର ୯୯ ପ୍ରତିଶତ ଭାଗକୁ କଲେକଫ କରିବା ସହିତ ରିସାଇକେଲ କରିପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହି କମ୍ପାନୀର ସୋଲାର ପ୍ୟାନେଲର ଅଧିକାଂଶ ଅଂଶକୁ ରିକଭରି କରିବା ସହିତ ରିସାଇକେଲ କରିପାରିବ ବୋଲି ଦାବି କରିଛି । ତେବେ ଏଥିରେ ଥିବା କେତେକ ସ୍ୱତନ୍ତ୍ର ସାମଗ୍ରୀକୁ ରିସାଇକେଲ କରି ଆଉ ଏକ ସୋଲାର ପ୍ୟାନେଲ ପ୍ରସ୍ତୁତ କରିହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ପ୍ରକ୍ରିୟାରେ ଅଧିକାଂଶ ଆଲୁମିନିୟମ ଓ ଗ୍ଲାସ ସାମଗ୍ରୀକୁ ରିସାଇକେଲ କରାଯାଇ ପାରିବ ବୋଲି ଜଣାପଡିଛି । ଏହି ରିସାଇକେଲ ଗ୍ଲାସକୁ ଟାଇଲ ତିଆରି କରିବା ପାଇଁ ବ୍ୟବହାର କରାଯାଇପାରିବ । ତେବେ ଏହାକୁ ହାଇଗ୍ରେଡ ଗ୍ଲାସର ବିକଳ୍ପଭାବେ ବ୍ୟବହାର କରାଯାଇ ପାରିବ ନାହିଁ ।
ଭାରତ
ଇଣ୍ଟରନ୍ୟାସନାଲ ରିନେବୁଲ୍ ଏନର୍ଜି ଏଜେନ୍ସିର ତଥ୍ୟ ଅନୁସାରେ ୨୦୪୦ ପର୍ଯ୍ୟନ୍ତ ପ୍ରତିବର୍ଷ ସୋଲାର ପ୍ୟାନେଲ ଆବର୍ଜନା ୧୦ ମିଲିଅନରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିଭଳି ୨୦୫୦ ପର୍ଯ୍ୟନ୍ତ ପ୍ରତିବର୍ଷ ସୋଲାର ପ୍ୟାନେଲ େଓ୍ୱଷ୍ଟ ୨୦ ମିଲିଅନ ଟନରେ ପହଞ୍ଚିବ ବୋଲି ଆଶଙ୍କା କରାଯାଇଛି । ତେବେ ଏହି ସଂଖ୍ୟା ଭାରତରେ ଦେଖିବାକୁ ମିଳିବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି । କେବଳ ଭାରତ ନୁହେଁ ଇଣ୍ଡୋନେସିଆରେ ମଧ୍ୟ ଏହି ଆବର୍ଜନା ବଢିବାର ଆଶଙ୍କା ଦେଖିବାକୁ ମିଳିଛି । ନ୍ୟାସନାଲ ସୋଲାର ଏର୍ନଜୀ ଫେଡେରେସନ୍ ଅଫ ଇଣ୍ଡିଆ (ଏନ୍ଏସ୍ଇଏଫ୍ଟି)ର ରିପୋର୍ଟ ଅନୁସାରେ ୨୦୩୦ ପର୍ଯ୍ୟନ୍ତ ଭାରତରେ ୩୪,୬୦୦ଟନ ସୋଲାର ଆବର୍ଜନା ଜମିବ ।