ବଡ଼ ହୃଦୟ, ବଡ଼ ମନ, ବଡ଼ ସ୍ୱପ୍ନ, ବଡ଼ କାମିକା ମଣିଷ ଥିଲେ ସେ । ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କ କଥା ବୁଝିବା ଏବଂ ସମସ୍ତଙ୍କୁ ସହଯୋଗ କରିବାରେ ସେ ବହୁତ ଆନନ୍ଦ ପାଉଥିଲେ । ୧୯୩୬ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଜଗତସିଂହପୁରର ତୁଳଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେହି ଉତୁଙ୍ଗ ବ୍ୟକ୍ତିତ୍ୱ ହେଉଛନ୍ତି ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ । ବି.ଏ ପାସ କରିବା ପରେ ବ୍ୟବସାୟିକ କାର୍ଯ୍ୟରେ ମନୋନିବେଶ କରିଥିଲେ ମଧ୍ୟ ଜନସେବା ପ୍ରତି ସେ ହୋଇଥିଲେ ଖୁବ୍ ମୋହାଚ୍ଛନ୍ନ । ତେଣୁ ନିଜର ଯୁବକ ଅବସ୍ଥାରେ ୧୯୭୭ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇ ପ୍ରଦେଶ କଂଗ୍ରେସ କମିଟି(ପି.ସି.ସି)ର କୋଷାଧ୍ୟକ୍ଷ ଭଳି ଗୁରୁଦାୟିତ୍ୱକୁ ସଂପାଦନ କରିବାକୁ ଆଗେଇ ଆସିଥିଲେ, ଯେଉଁ ସମୟରେ ଦେଶ ତଥା ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ଖୁବ୍ ଖରାପ ଥିଲା । ତେଣୁ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବାର ଦୁଃସାହସ ରଖି ସେ ସମାଜ ସେବାରେ ଆଗେଇ ଯାଇଥିଲେ । ସେ ସମୟରେ ମୁଁ ମଧ୍ୟ କଂଗ୍ରେସ ଦଳର ସାଧାରଣ ସଂପାଦକ ଭାବରେ କାର୍ଯ୍ୟ କରୁଥିଲି । ତାଙ୍କ ସହିତ ସେହି ସମୟରୁ ମୋର ପରିଚୟ ଆରମ୍ଭ ହୋଇ ଅଦ୍ୟାବଧି ମଧ୍ୟ ତାଙ୍କ ପରିବାର ସହିତ ସୁସଂପର୍କ ବଜାୟ ରହିଛି । ସେ ଜଣେ ମେଳାପୀ, ହୃଦୟବାନ ମଣିଷ । ୧୯୮୦ ମସିହାରେ କଂଗ୍ରେସ ଦଳ ଜାନକୀ ବାବୁଙ୍କ ନେତୃତ୍ୱରେ ଲଢିଲା । ସେତେବେଳେ ସେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଉଥିଲେ । ସେହି ସମୟରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଜନତା ପାର୍ଟିର ଟାଣୁଆ ନେତା ତଥା ଚାରିଥର ବିଧାୟକ ହୋଇଥିବା ପ୍ରବୀଣ ରାଜନେତା ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପରାସ୍ତ କରି ବସନ୍ତ ବିଶ୍ୱାଳ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେଲେ । ୧୯୮୦ରୁ ୮୫ ମସିହା ମଧ୍ୟରେ ଜାନକୀ ବାବୁ ବସନ୍ତ ବିଶ୍ୱାଳଙ୍କ ଉପରେ ଆସ୍ଥା ପ୍ରକଟ କରି ବିଭିନ୍ନ ସମୟରେ ନଗର ଉନ୍ନୟନ, ଗୃହ ନିର୍ମାଣ, ପୂର୍ତ୍ତ, ଖଣି ଓ ଭୂତତ୍ତ୍ୱ୍ୱ, କ୍ରୀଡା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ତାଙ୍କ ନିଯୁକ୍ତ କରିଥିଲେ । ଏହି ସମୟରେ ସେ ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକରି ସାରା ରାଜ୍ୟବାସୀଙ୍କର ଶ୍ରଦ୍ଧାର ପାତ୍ର ହୋଇ ଯାଇଥିଲେ । ତିର୍ତ୍ତୋଲର ଜନପ୍ରତିନିଧି ଭାବରେ ସେ ନିଜ ଅଞ୍ଚଳର ଅନେକ ବିକାଶର ମୂକ ସାକ୍ଷୀ ହୋଇଛନ୍ତି । ଏଥି ସହିତ କଟକ ସହରକୁ ସରସ ସୁନ୍ଦର କରିବା ପାଇଁ ସେ କାଠଯୋଡି ରିଂ ରୋଡ ବନ୍ଧ ଏବଂ କଟକର କଳେବର ବୃଦ୍ଧି, ସୌନ୍ଦର୍ଯ୍ୟକରଣ ତଥା ସହର ବିକାଶ ପାଇଁ ସି.ଡି.ଏ (କଟକ ଡେଭଲପମେଣ୍ଟ ଅଥରିଟି) ଗଠନ କରିଥିଲେ । ତେଣୁ ତାଙ୍କୁ କେହି କେହି କଟକର ଦ୍ୱିତୀୟ ବାଇମୁଣ୍ଡି ବୋଲି କହନ୍ତି । ଯିଏ ବେଶି କାମ କରେ, ବିକାଶ ପଛରେ ଧାଏଁ ସ୍ୱତଃ ସେ ଅନ୍ୟମାନଙ୍କର ଈର୍ଷାର କାରଣ ହୋଇଥାଏ, ଯାହା ବସନ୍ତ ବାବୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ୧୯୮୫ ମସିହା ନିର୍ବାଚନରେ ଆଉ ତାଙ୍କୁ ବିଧାନସଭା ଲଢିବା ପାଇଁ ସୁଯୋଗ ଦିଆଗଲା ନାହିଁ । ବରଂ ପଡୋଶୀ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶରତ ଦେବଙ୍କ ସହିତ ଲଢି ସେ ପରାଜୟ ବରଣ କଲେ । କିନ୍ତୁ ଲୋକସଂପର୍କ ରଖିବାରେ ସେ କେବେହେଲେ ପଛକୁ ହଟିଲେ ନାହିଁ । ତେଣୁ ୧୯୯୦ ମସିହା ବିଧାନସଭା ନିର୍ବାଚନରେ ଯେତେବେଳେ ସାରା ରାଜ୍ୟରେ କଂଗ୍ରେସ ଦଳ ବିରୋଧରେ ଜନମତ ପ୍ରବଳ ଥିଲା ଏବଂ ଏହା ମାତ୍ର ୧୦ଟି ଆସନରେ ବିଜୟ ଲାଭ କରି ବିରୋଧୀ ଦଳର ମାନ୍ୟତା ପାଇ ପାରିନଥିଲା ସେ ଭଳି ପ୍ରଚଣ୍ଡ ଝଡକୁ ସେ ଖାତିର ନକରି ତିର୍ତ୍ତୋଲ ଆସନରେ ପୁନର୍ବାର ବିଜୟ ଲାଭ କରିଥିଲେ ଏବଂ କଂଗ୍ରେସ ବିଧାୟକ ଦଳ ନେତା ହୋଇଥିଲେ । ଏହି ସମୟରେ କଂଗ୍ରେସ ଦଳରେ ପ୍ରବଳ ସଂଘର୍ଷ ହେଲା ଏବଂ କିଛି ଦିନ ପାଇଁ ବସନ୍ତ ବାବୁଙ୍କୁ କଂଗ୍ରେସରୁ ସସ୍ପେଣ୍ଡ କରାଗଲା । ମାତ୍ର ପରିଶେଷରେ ତାଙ୍କର ଆବଶ୍ୟକତାକୁ ଅନୁଭବ କରି କଂଗ୍ରେସ ଦଳ “ମଇଁଷି ଶିଂଘ ଫଟା ଯୁଝିଲା ବେଳକୁ ଗୋଟା’ ଆହ୍ୱାନ ଦେଇ ତାଙ୍କୁ ଦଳକୁ ଫେରାଇ ଆଣିଲା ଏବଂ ୧୯୯୫ ମସିହା ନିର୍ବାଚନ ପାଇଁ ଗୁରୁ ଦାୟିତ୍ୱ ଦେଇଥିଲା । ବିଜୁ ବାବୁଙ୍କର ଲୋକପ୍ରିୟତା ଥିବା ସତେ୍ୱ ଉପଯୁକ୍ତ ରଣ କୌଶଳ ଏବଂ ଏକତାର ଡୋରିରେ ବନ୍ଧା ହେବାରୁ କଂଗ୍ରେସ ଦଳ ପୁନର୍ବାର ସରକାରକୁ ଆସିଲା । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେବା ବେଳେ ବସନ୍ତ କୁମାର ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ଅର୍ଥ, ଜଳ ସଂପଦ, ସଂସଦୀୟ ବ୍ୟାପାର ଏବଂ ଯୋଜନା ସମନ୍ୱୟ ବିଭାଗ ପାଇ ଖୁବ୍ ଆନ୍ତରିକତାର ସହିତ କାର୍ଯ୍ୟ ନିର୍ବାହ କରିଥିଲେ । ୧୯୯୩ ମସିହାରେ ଜଗତସିଂହପୁର ନୂତନ ଭାବେ ଜିଲ୍ଲା ଗଠନ ହୋଇଥିବା ବେଳେ ତାର ନିର୍ମାଣର ଦାୟିତ୍ୱ ନିର୍ବାହ କଲେ ବସନ୍ତ ବିଶ୍ୱାଳ । ସେ ସମୟରେ ଜଳସଂପଦ ବିଭାଗର ଅନେକ କାର୍ଯ୍ୟ ସେ କରିବା ସହିତ ଭୁବନେଶ୍ୱର ଠାରେ ରାଜୀବ ଭବନ ନିର୍ମାଣର ଗୁରୁ ଦାୟିତ୍ୱ ତାଙ୍କ ଉପରେ ଥିଲା । ରାଜ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟକୁ ସେ ଆଗେଇ ନେଇଥିଲେ । ପୁଣି ଥରେ ଜାନକୀ ବାବୁଙ୍କ ଶାସନର ପତନ ହେଲା ଏବଂ ୧୯୯୮ ମସିହାରେ ଗିରିଧାର ଗମାଙ୍ଗୋ ସରକାରରେ ତଥା ୧୯୯୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ଜଳ ସଂପଦ, କୃଷି, ସଂସଦୀୟ ବ୍ୟାପାର ଇତ୍ୟାଦି ବିଭାଗକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ । ଶେଷରେ ୨୦୦୦ ମସିହାରେ ରାଜ୍ୟରେ କଂଗ୍ରେସ ସରକାରରୁ ଗଲା ଏବଂ ବସନ୍ତ ଭାଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ନିଜର ମାମୁଁ ପୁଅ ଭାଇ ଦେବାଶିଷ ସାମନ୍ତରାୟଙ୍କ ଠାରୁ ପରାଜୟ ବରଣ କଲେ ।
ବସନ୍ତ ବିଶ୍ୱାଳଙ୍କ ସହିତ ମୋର ସବୁବେଳେ ସୁସଂପର୍କ ରହି ଆସିଥିଲା । ମୁଁ ତାଙ୍କୁ ସବୁବେଳେ “ବସନ୍ତ ଭାଇ’ ବୋଲି ଡାକେ । ଉଭୟଙ୍କ ମଧ୍ୟରେ ପାରିବାରକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଆସିଥିଲା । ସେ ଉପମୁଖ୍ୟମନ୍ତ୍ରୀ ଅଥବା ମନ୍ତ୍ରୀ ଥିବାବେଳେ ନିର୍ବାଚନ ମଣ୍ଡଳୀ ସମସ୍ୟା ନେଇ ଯେତେବେଳେ ଯେଉଁ କାମରେ ଗଲେ ସେ କେବେହେଲେ ନାହିଁ କରନ୍ତି ନାହିଁ । କାମଟି ଯେତେ ଅସମ୍ଭବ ମନେ ହେଉଥିଲେ ମଧ୍ୟ ସେ ଯେନତେନ ପ୍ରକାରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୁଅନ୍ତି । “ନାହିଁ’ ଭଳି ଶବ୍ଦ ତାଙ୍କ ରାଜନୈତିକ ଅଭିଧାନରେ ନଥିଲା । ପ୍ରଶାସନିକ ଅଧିକାରୀମାନେ ତାଙ୍କ କଥାକୁ କେବେ ଅମାନ୍ୟ କରନ୍ତି ନାହିଁ । ସମସ୍ତଙ୍କୁ ନେଇ କେମିତି କାମ କରାଯାଏ, ତାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବସନ୍ତ ଭାଇ ।
ସେ ଯେ କେବଳ ରାଜନୀତି କ୍ଷେତ୍ରରେ ପାରଙ୍ଗମ ଥିଲେ ତାହା ନୁହେଁ, ୧୯୮୬-୯୦ ମସିହା ପର୍ଯ୍ୟନ୍ତ ରାଜ୍ୟ ସମବାୟୟୁନିୟନର ସଭାପତି, ରଷ୍ଟ୍ରଭାଷା ପ୍ରଚାର ସମବାୟ ସମିତିର ସଭାପତି, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଭାପତି, ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି, ଓଡ଼ିଶା ହକି ଆସୋସିଏସନର ସଭାପତି, ଇଣ୍ଡିଆନ ଏଗ୍ରିକଲଚରାଲ ଫେଡେରେସନର ଉପସଭାପତି, ଭାରତ ସ୍କାଉଟ ଆଣ୍ଡ ଗାଇଡର ଉପସଭାପତି ତଥା ଓଡ଼ିଶା ଶାଖାର ସଭାପତି, ଶାରଳା ସାହିତ୍ୟ ସଂସଦର ସଭାପତି ଏବଂ ଉତ୍କଳ ଗୋମଙ୍ଗଳ ସମିତିର ସଭାପତି ଭାବରେ କାର୍ଯ୍ୟକରି ସମବାୟ, କ୍ରୀଡା, ସାହିତ୍ୟ ଏବଂ ଗୋସଂପଦ ବିକାଶ ଦିଗରେ ପ୍ରମୁଖ କାର୍ଯ୍ୟ କରିଯାଇଛନ୍ତି । ତାଙ୍କର ସୁପୁତ୍ର ଚିରଞ୍ଜିବୀ ବିଶ୍ୱାଳ ଏବଂ ରଞ୍ଜୀବ ବିଶ୍ୱାଳ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ଅନେକ ସୁନାମ ଅର୍ଜ୍ଜନ କରି ବିଭିନ୍ନ ସମୟରେ ବିଧାୟକ ଏବଂ ସାଂସଦ ହୋଇଛନ୍ତି । ରଞ୍ଜୀବ ବିଶ୍ୱାଳ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପ୍ରଶାସନିକ ପଦରେ ରହି ଭାରତୀୟ କ୍ରିକେଟ ଓ ଆଇ.ପି.ଏଲକୁ ପ୍ରମୁଖ ଯୋଗଦାନ ଦେଇଛନ୍ତି ।
ସମାଜସେବୀ ଏବଂ ରାଜନୈତିକ ବ୍ୟକ୍ତିଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଠିକ୍ ଠିକଣା ନଥାଏ । ତେଣୁ ୨୦୦୦ ମସିହା ନିର୍ବାଚନରେ ହାରିଯିବା ପରେ ବସନ୍ତ ଭାଇଙ୍କ ସ୍ୱାସ୍ଥ୍ୟର ଅବନତି ଘଟିଲା । କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ପରିଶେଷରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଯିବା ପୂର୍ବରୁ ୨୦୦୩ ମସିହା ସେପେଫମ୍ବର ମାସ ୭ ତାରିଖ ଦିନ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଗମନ କଲେ । ଆଜି ତାଙ୍କର ଶ୍ରାଦ୍ଧ ଦିବସ ଅବସରରେ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ଆଗାମୀ ପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଉ ଏତିକି କାମନା କରୁଛି ।
ଡଃ.ଫ୍ରଫୁଲ୍ଲ ଚନ୍ଦ୍ର ଘଡାଇ
ପୂର୍ବତନ ମନ୍ତ୍ରୀ, ଓଡିଶା
ପ୍ରତିମା ଭବନ, ପ୍ଲଟ ନଂ.୪୫୧,
ନୟାପଲ୍ଲୀ, ଭୁବନେଶ୍ୱର-୭୫୧୦୧୨
