ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ଯେଉଁଠାରେ ବି ଲୁଚିଲେ ଆମେ ସେମାନଙ୍କୁ ଛାଡ଼ିବୁନି। ପହଲଗାମ ଆକ୍ରମଣର ଆମେ କିଭଳି ପ୍ରତିଶୋଧ ନେଲୁ ତାହା ସମଗ୍ର ବିଶ୍ବ ଦେଖିଲା। ଆମେ ଆତଙ୍କବାଦୀ ଏବଂ ସେମାନଙ୍କ ମାଷ୍ଟରଙ୍କୁ ଛାଡ଼ିବୁନି ବୋଲି ମୋଦୀ ଅହମଦାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି। ପ୍ରଭୁ ଶ୍ରୀକୃଷ୍ଣ ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଦର୍ଶାଯାଇଥିବା ପଥରେ ଭାରତ ଚାଲୁଛି ବୋଲି ସେ କହିଛନ୍ତି। ଏହି ଗୁଜରାଟ ମାଟି ମଧ୍ୟ ୨ ମୋହନଙ୍କ ମାଟି। ଜଣେ ହେଉଛନ୍ତି ସୁଦର୍ଶନ ଚକ୍ରଧରୀ ମୋହନ ଯିଏ କି ଆମ ଦ୍ବାରକାଧୀଶ ଶ୍ରୀକୃଷ୍ଣ ଏବଂ ଅନ୍ୟ ଜଣେ ହେଉଛନ୍ତି ଚରଖାଧାରୀ ମୋହନ ତଥା ସାବରମତୀର ସନ୍ଥ ପୂଜ୍ୟ ବାପୁ (ମହାତ୍ମା ଗାନ୍ଧୀ), ପିଏ କି ତାଙ୍କ ଚରଖା ଜରିଆରେ ସ୍ବଦେଶୀକୁ ବଳ ଦେଇଥିଲେ। ଭାରତ ଏହି ଦୁଇ ଜଣଙ୍କ ଦ୍ବାରା ଦର୍ଶାଯାଇଥିବା ପଥ ଅନୁକରଣ କରି ଲଗାତାର ଭାବେ ସୁଦୃଢ଼ ହୋଇପାରିଛି। ସୁଦର୍ଶନ ଚକ୍ରଧାରୀ ମୋହନ ଆମକୁ ଦେଶ ଏବଂ ସମାଜକୁ କିଭଳି ସୁରକ୍ଷା ଦେବାକୁ ପଡ଼ିବ ଶିଖାଇଛନ୍ତି। ସେ ସୁଦର୍ଶନ ଚକ୍ରକୁ ନ୍ୟାୟ ଏବଂ ସୁରକ୍ଷାର ଏକ ଢାଲ କରିଥିଲେ ଯାହା ଶତ୍ରୁକୁ ଠାବ କରି ଦଣ୍ଡିତ କରେ।
