କଲମ୍ବୋ: ଏକ ତ୍ବରିତ ପଦକ୍ଷେପ ଜରିଆରେ ଶ୍ରୀଲଙ୍କା ଅଦାଲତ ପୂର୍ବଦିନ ବହିଷ୍କୃତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ପୁନଃଅବସ୍ଥାପିତ କରିଛନ୍ତି। ଶ୍ରୀଲଙ୍କା ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେ ସୋମବାର ଶ୍ରୀଲଙ୍କା ବୋର୍ଡକୁ ଭାଙ୍ଗିଦେବା ସହ ଏକ ଅନ୍ତରୀଣ ସମିତି ଗଠନ କରିଥିଲେ। କିନ୍ତୁ ବୋର୍ଡ ସଭାପତି ସମି ସିଲଭା ଏହାକୁ ଚାଲେଞ୍ଜ କରିବା ପରେ ୨୪ ଘଣ୍ଟା ଭିତରେ ଅଦାଲତ ସରକାରୀ ନିଷ୍ପତ୍ତିକୁ ବାତିଲ କରି ଦେଇଛନ୍ତି। ବୋକର୍ଡକୁ କିନ୍ତୁ ମାତ୍ର ୨ ସପ୍ତାହ ପାଇଁ ପୁନଃଅବସ୍ଥାପିତ କରାଯାଇଛି ଏବଂ ଅଦାଲତ ଏହି ଅବଧି ଭିତରେ ଚୂଡ଼ାନ୍ତ ଶୁଣାଣି କରିବେୁ।
ସୂଚନାଯୋଗ୍ୟ, ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲ୍ସି) ବୋର୍ଡରେ ଅନିୟମିତତା, ଦୁର୍ନୀତି ସହ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ଠିକ୍ରେ ହେଉ ନଥିବା ଦର୍ଶାଇ ଶ୍ରୀଲଙ୍କା ସରକାର ଏସ୍ଏଲ୍ସି କାର୍ଯ୍ୟନିର୍ବାହୀ ସମିତିକୁ ଭଙ୍ଗ କରିଥିଲେ। ଆଗାମୀ କାର୍ଯ୍ୟକଳାପ ପାଇଁ ଅନ୍ତରୀଣ କମିଟି ଗଠନ କରି ପୂର୍ବତନ କ୍ରିକେଟର୍ ଅର୍ଜୁନ ରଣତୁଙ୍ଗାଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏସ୍ଆଇ ଇମାମ, ଅବସରପ୍ରାପ୍ତ ବିଚାରପତି ରୋହିନି ମାରାସିଂଘେ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଈରାଙ୍ଗନି ପେରେରା, ଏସ୍ଏଲ୍ସିର ପୂର୍ବତନ ସଭାପତି ଉପାଲି ଧର୍ମଦାସ, ଆଟର୍ଣ୍ଣି ଆଟ୍ ଲ’ ରକିଥା ରାଜପକ୍ଷେ ଓ ହିସାମ ଜମାଲଦୀନ ଏହି କମିଟିରେ ସ୍ଥାନ ପାଇଥିଲେ। ଏହି କମିଟି ଏସ୍ଏଲ୍ସିର ସମସ୍ତ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ସମସ୍ତ ଅନିୟମିତତା ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାର ଦିଆଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଅଡିଟର ଜେନେରାଲ୍ଙ୍କ ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଉପରେ ଦିଆଯାଇଥିବା ପ୍ରସ୍ତାବକୁ ତୁରନ୍ତ ଲାଗୁ କରିବାକୁ ମଧ୍ୟ କୁହାସଯାଇଥିଲା। ସୂଚନାଯୋଗ୍ୟ, ଚଳିତ ବିଶ୍ବକପ୍ରେ ଶ୍ରୀଲଙ୍କାର ଦୁର୍ବଳ ପ୍ରଦର୍ଶନ ପରେ ଏସ୍ଏଲ୍ସି କାର୍ଯ୍ୟନିର୍ବାହୀ ସମିତି ସମ୍ପାଦକ ମୋହନ ଡିସିଲ୍ଭାଙ୍କୁ ଇସ୍ତଫା ଦେବାକୁ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ, ନଚେତ୍ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ମୋହନ ଇସ୍ତଫା ଦେବା ପରେ କୌଣସି ନିର୍ଦିଷ୍ଟ କାରଣ ଦର୍ଶାଇ ନଥିଲେ।
Comments are closed.